କାନ୍ଦି କାନ୍ଦି ଭିଟାମାଟି ଛାଡୁଛନ୍ତି ଲୋକେ…

କ୍ୱିଭ୍‌, ୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ଆକ୍ରମଣରେ ଜୀବନ ବିକଳରେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ୟୁକ୍ରେନ୍‌ରୁ ପଡ଼ୋଶୀ ଦେଶ ସୀମାରେ ପହଞ୍ଚିଛନ୍ତି। କାନ୍ଦିଲେ ମଧ୍ୟ ସେମାନଙ୍କର ଲୁହ ପୋଛିବାକୁ କେହି ନାହାନ୍ତି। ସେମାନେ କାନ୍ଦିକାନ୍ଦି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ପୋଲାଣ୍ଡରେ ଅଧିକ ସଂଖ୍ୟକ ୟୁକ୍ରେନ୍‌ ଶରଣାର୍ଥୀ ପହଞ୍ଚିଛନ୍ତି।

ଜାତିସଂଘ ଶରଣାର୍ଥୀ ଏଜେନ୍ସିର ମୁଖପାତ୍ର ଶବୀର ମଣ୍ଟୁଙ୍କ ଅନୁଯାୟୀ, ୨ ଲକ୍ଷ ୮୧ ହଜାର ଶରଣାର୍ଥୀ ପୋଲାଣ୍ଡରେ ପହଞ୍ଚିଛନ୍ତି। ସେହିପରି ହଙ୍ଗେରୀରେ ୮୪ ହଜାର ୫୦୦ ରୁ ଅଧିକ, ମୋଲଡୋଭାରେ ପ୍ରାୟ ୪୬ ହଜାର ୪୦୦, ରୋମାନିଆରେ ୩୨ ହଜାର ୫୦୦ ରୁ ଅଧିକ ଏବଂ ସ୍ଲୋଭାକିଆରେ ପ୍ରାୟ ୩୦ ହଜାର ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। । ଅବଶିଷ୍ଟ ଶରଣାର୍ଥୀମାନେ ଅନ୍ୟ ଦେଶକୁ ଯାଇଛନ୍ତି।

ଶରଣାର୍ଥୀମାନେ ପୋଲାଣ୍ଡକୁ ପ୍ରବେଶ କରିବା ପାଇଁ ୪୦ ଘଣ୍ଟା ଧରି ସୀମା ଅତିକ୍ରମ କରିବାକୁ ଅପେକ୍ଷା କରିଛନ୍ତି। କେବଳ ଏତିକି ନୁହେଁ, ଦୀର୍ଘ କିଲୋମିଟରର ଶରଣାର୍ଥୀଙ୍କ ଲମ୍ବା ଧାଡି ସୀମାରେ ଦେଖିବାକୁ ମିଳୁଛି।

ପୋଲାଣ୍ଡ, ସ୍ଲୋଭାକିଆ, ହଙ୍ଗେରୀ, ରୋମାନିଆ ଏବଂ ମଲଡୋଭାର ଅଧିକାରୀମାନେ ୟୁକ୍ରେନ ଶରଣାର୍ଥୀମାନଙ୍କୁ ଗ୍ରହଣ କରିବା ଏବଂ ସେମାନଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ଆଇନଗତ ସହାୟତା ଯୋଗାଇବା ପାଇଁ ସୀମାରେ ଅପେକ୍ଷା କରି ରହିଛନ୍ତି।

ୟୁକ୍ରେନ ଛାଡୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ୧୮ ରୁ ୬୦ ବର୍ଷ ବୟସର ସମସ୍ତ ପୁରୁଷଙ୍କୁ ୟୁକ୍ରେନ ନ ଛାଡ଼ି ଯୁଦ୍ଧ କରିବାକୁ ରଖାଯାଇଛି।

Share