Categories: ଜାତୀୟ

ବୀରଭୂମୀ ହିଂସା ପରେ ଘର ଛାଡୁଛନ୍ତି ଲୋକେ

କୋଲକାତା,୨୩ ।୩: ପଶ୍ଚିମବଙ୍ଗର ବୀରଭୂମୀରେ ତ୍ରୁଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯିବା ପରେ ୮ ଜଣଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଏହି ଘଟଣା ପରେ ବୀରଭୂମୀ ଜିଲା ବାଗୁଟି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଭଳି ହିଂସା ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘରଛାଡି ବାହାରକୁ ଚାଲିଯାଉଥିବା ଦେଖାଯାଇଛି । ଲୋକଙ୍କ ମନରେ ଭୟ ରହୁଛି ଯେ ଯଦି ପୁଣିଥରେ ଏଭଳି କିଛି ଘଟଣା ଘଟେ ତେବେ ସେମାନେ ଜୀବନ୍ତ ରହିପାରିବେ କି ନା ତାହା ସନ୍ଦେହ ।
ମୃତ ତ୍ରୁଣମୂଳ କଂଗ୍ରେସ ନେତାଙ୍କ ଭାଇ ନୁର ଅଲି ବି ଗାଁ ଛାଡୁଥିବା ଦେଖାଯାଇଛି । ସେ କହିଛନ୍ତି ପରିବାର ସଦସ୍ୟଙ୍କୁ ହରାଇବା ପରେ ଆଉ ଏଠାରେ ରହିବା ସୁରକ୍ଷିତ ନୁହେଁ । ଏହା ବ୍ୟତୀତ ମୋ ପରିବାରରେ ମହିଳାମାନେ ଅଛନ୍ତି ସେମାନଙ୍କ ସୁରକ୍ଷା କରିବା ଜରୁରୀ । ତେଣୁ ସେ ଗାଁ ଛାଡିବାକୁ ବାଧ୍ୟ ହେଉନ୍ତି । ତେବେ ନୁର ଅଲିଙ୍କୁ ଗାଁ ଛାଡିବାରେ ସହଯୋଗ କରୁଥିବା ଜଣେ ସମ୍ପର୍କୀୟ କହିଛନ୍ତି ବୀରଭୂମୀରେ ଯାହା ସବୁ ଘଟିଗଲା ସେଥିପାଇଁ ପୋଲିସ ଦାୟୀ । କାରଣ ଏଭଳି ଘଟଣା ଘଟିବା ପୂର୍ବରୁ ପୋଲିସ କିଛି କରିପାରିଲା ନାହିଁ ।
ଅନ୍ୟପଟେ ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ ତଦନ୍ତ ଦାବି କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ରିପୋର୍ଟ ମାଗିଛି । ଏହା ବ୍ୟତୀତ ଖୁବଶୀଘ୍ର କେନ୍ଦ୍ର ସରକାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଘଟଣାସ୍ଥଳକୁ ପଠାଇବା ସହ ଭାଜପା ଏହି ଘଟଣାକୁ ନେଇ ୫ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ଯାଉଛି ଏହି କମିଟି ଖୁବଶୀଘ୍ର ହିଂସାଗ୍ରସ୍ତ ଅଞ୍ଚଳ ଗସ୍ତ କରି ଏ ରିପୋର୍ଟ ପ୍ରସ୍ତୁତ କରି ଜେପି ନଡ୍ଡାଙ୍କୁ ଦେବ ।

Share