ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ ବାହାରକୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କିନ୍ତୁ ଏହି ପ୍ରଚଣ୍ଡ ରୌଦ୍ର ତାପରେ ଦାରିଙ୍ଗବାଡି ଅଞ୍ଚଳରେ ମାଲ ବୁହା ପିକଅପ ଭ୍ୟାନରେ ଲୋକ ବୁହାଯାଉଥିବା ଦେଖିବାକୁ ମିଳୁଛି। ଗତ ୨ ଦିନ ପୁର୍ବରୁ ଶିଶୁ ଶ୍ରମିକଙ୍କୁ ପିକଅପ ଭ୍ୟାନର ଡାଲାରେ ବୁହାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ପୁଣି ଟାଣ ଖରାରେ ବସ୍ତା ବୋହିଲା ଭଳି ଲୋକଙ୍କୁ ବୁହାଯାଉଥିବା ଘଟଣା ଏବେ ପରିବହନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଏନେଇ ନା ପୋଲିସର ନା କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗର ନଜରରେ ପଡୁଛି। ଏଭଳି ପୁର୍ବରୁ ଲୋ ଙ୍କୁ ପିକଅପ ଭ୍ୟାନରେ ନିଆଯାଉଥିବା ବେଳେ ଏକାଧିକ ଦୁର୍ଘଟଣା ଘଟିବାର ନଜିର ରହିଥିଲେ ମଧ୍ୟ ବେଧଡ଼କ ପିକଅପ ଭ୍ୟାନ ଗୁଡିକରେ ଲୋକଙ୍କୁ ବୁହାଯିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ଯାଏ ଲୋକଙ୍କୁ କାମ କରିବାକୁ ବାରଣ କରିବା ସହ ଖରାରେ ବାହାରକୁ ବାହାରିବାକୁ ମଧ୍ୟ ବାରଣ କରୁଛନ୍ତି। କିନ୍ତୁ ଲୋକଙ୍କୁ ଏଭଳି ଖୋଲା ପିକଅପ ଭ୍ୟାନରେ ବୋହିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରୁଛନ୍ତି। ଏନେଇ କନ୍ଧମାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।