ପାଟନାଳିରେ କୁମ୍ଭୀର, ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୬ା୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବଳଦେବନଗର ଗ୍ରାମ ପାଖ ଏକ ପାଟନାଳିରେ ଗୁରୁବାର ସନ୍ଧ୍ୟାରେ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନ ବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ବନ ବିଭାଗ କର୍ମଚାରୀ ଆସି କୁମ୍ଭୀରକୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ସୂଚନାନୁସାରେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବଳଦେବନଗର ଗ୍ରାମରେ ଅନେକ ଧାନ ବିଲରେ ଏବେ ପାଣି ଭରି ରହିଛି। ତେବେ ପାଟନାଳି ପାଖ ଧାନ ବିଲରେ ଗୁରୁବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିବାକୁ ପାଇଥିଲେ। ପରେ ଗଁାରେ ଆତଙ୍କ ଖେଳି ଯାଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମହାକାଳପଡ଼ା ଫରେଷ୍ଟର ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍‌ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଧରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୁମ୍ଭୀରଟିର ଠାବ କରି ପାରି ନ ଥିଲେ। ପ୍ରକାଶଥାଉକି, ୩ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲାରେ ୫ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କୁମ୍ଭୀର ଆତଙ୍କ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ରାଜନଗର ବନଖଣ୍ଡ ଅଧିକାରୀ ସୁଧାଂଶୁ ଗୋପୀନାଥ ଯାଦବଙ୍କୁ ଜଣାଇବାରେ କର୍ମଚାରୀ ୨ ଜଣଙ୍କୁ ରାତ୍ରୀ ପ୍ରହରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।