ପେନଶନଭୋଗୀଙ୍କ ପାଇଁ ଜରୁରୀ ସୂଚନା: ନଭେମ୍ୱର ୩୦ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ ପେନଶନ!

ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ପ୍ରତିବର୍ଷ ନଭେମ୍ୱର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତି ମାସରେ ସୁରୁଖୁରୁରେ ପେନସନ ପାଇବା ପାଇଁ, ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କୁ ପ୍ରତିବର୍ଷ ସେମାନଙ୍କର ଜୀବନ ପ୍ରମାଣ ପତ୍ର (Life Certificate) ଦାଖଲ କରିବା ବାଧ୍ୟତାମୂଳକ ଅଟେ। ଏହି ବର୍ଷ ଲାଇଫ ସାର୍ଟିଫିକେଟ ଦାଖଲ କରିବାର ଶେଷ ତାରିଖ ନଭେମ୍ୱର ୩୦ ନିର୍ଦ୍ଧାରିତ କରାଯାଇଛି। ଯଦି କୌଣସି ପେନସନଭୋଗୀ ଏହି ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ସେମାନଙ୍କର ଲାଇଫ ସାର୍ଟିଫିକେଟ ଦାଖଲ କରିପାରିବେ ନାହିଁ, ତେବେ ଡିସେମ୍ୱର ମାସରୁ ସେମାନଙ୍କର ପେନସନ ଦେୟ ବନ୍ଦ କରାଯାଇପାରେ।

ଲାଇଫ ସାର୍ଟିଫିକେଟ ଦାଖଲ କରିବା ହେଉଛି ଏହାର ପ୍ରମାଣ ଯେ ପେନସନ ନେଉଥିବା ବ୍ୟକ୍ତି ଜୀବିତ ଅଛନ୍ତି। ପେନସନ ବଣ୍ଟନ କରୁଥିବା ଏଜେନ୍ସି, ବ୍ୟାଙ୍କ କିମ୍ୱା ପୋଷ୍ଟ ଅଫିସ ଏହା ସୁନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଏହି ଲାଇଫ ସାର୍ଟିଫିକେଟ ମାଗିଥାନ୍ତି ଯେ ପେନସନର ଟଙ୍କା ସଠିକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପହଞ୍ଚୁଛି। ପୂର୍ୱରୁ ଏଥିପାଇଁ ବୃଦ୍ଧବୃଦ୍ଧାମାନଙ୍କୁ ଲମ୍ୱା ଧାଡ଼ିରେ ଠିଆ ହୋଇ ବ୍ୟାଙ୍କ ବା କାର୍ଯ୍ୟାଳୟରେ ଜମା କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଡିଜିଟାଲ ସେବା ଆସିବା ଦ୍ୱାରା ଏହି ପ୍ରକ୍ରିୟା ଅତି ସହଜ ହୋଇଯାଇଛି।

ବର୍ତ୍ତମାନ ପେନସନଭୋଗୀମାନଙ୍କୁ ଲାଇଫ ସାର୍ଟିଫିକେଟ ଦାଖଲ କରିବା ପାଇଁ ବ୍ୟାଙ୍କ ଯିବାର କୌଣସି ବାଧ୍ୟବାଧକତା ନାହିଁ। ସେମାନେ ଭାରତ ସରକାରଙ୍କ UMANG ଆପ ସହାୟତାରେ ଘରେ ବସି ସହଜରେ ସେମାନଙ୍କର ଡିଜିଟାଲ ଲାଇଫ ସାର୍ଟିଫିକେଟ ପ୍ରସ୍ତୁତ କରିପାରିବେ।

* ସର୍ୱପ୍ରଥମେ ଆପଣଙ୍କ ସ୍ମାର୍ଟଫୋନର ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ୱା ଆପଲ ଆପ ଷ୍ଟୋର୍ରୁ UMANG ଆପ ଡାଉନଲୋଡ କରି ଇନଷ୍ଟଲ କରନ୍ତୁ।
* ଆପ ଖୋଲିବା ପରେ ଆପଣଙ୍କ ମୋବାଇଲ ନମ୍ୱର ପଞ୍ଜୀକରଣ (Registration) କରନ୍ତୁ କିମ୍ୱା ଲଗଇନ କରନ୍ତୁ।
* ମୋବାଇଲରେ ଆସିଥିବା ଓଟିପି (OTP) ଜରିଆରେ ନମ୍ୱରର ଯାଞ୍ଚ କରନ୍ତୁ।
* ଲଗଇନ କରିବା ପରେ ଆପ୍ର ସର୍ଚ୍ଚ ବକ୍ସରେ ’Jeevan Pramaan’ ବା ’Life Certificate’ ଟାଇପ କରନ୍ତୁ ଏବଂ ସମ୍ପୃକ୍ତ ସେବାକୁ ଚୟନ କରନ୍ତୁ।
* ଏହାପରେ ପେନସନଭୋଗୀଙ୍କୁ ସେମାନଙ୍କର ଜରୁରୀ ସୂଚନା ଦାଖଲ କରିବାକୁ ପଡିବ, ଯେପରିକି ଆଧାର ନମ୍ୱର, ମୋବାଇଲ ନମ୍ୱର, ପେନସନ ପେମେଣ୍ଟ ଅର୍ଡର (PPO) ନମ୍ୱର, ପେନସନ ଦେଉଥିବା ସଂସ୍ଥା ଏବଂ ବ୍ୟାଙ୍କର ବିବରଣୀ।
* ଏହାପରେ ଆଧାର ଆଧାରିତ ଫେସ ଅଥେଣ୍ଟିକେସନ (Face Authentication) କିମ୍ୱା ବାୟୋମେଟ୍ରିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଫେସ ଅଥେଣ୍ଟିକେସନ ପାଇଁ ସ୍ମାର୍ଟଫୋନ ର କ୍ୟାମେରା ବ୍ୟବହାର କରାଯାଇପାରିବ।
* ଯାଞ୍ଚ (Verification) ସମ୍ପୂର୍ଣ୍ଣ ହେବା ପରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜେନେରେଟ ହୋଇଯିବ ଏବଂ ମୋବାଇଲ୍ରେ ଏକ ’ପ୍ରମାଣ ଆଇଡି’ (Pramaan ID) ପ୍ରାପ୍ତ ହେବ।
* ଏହାକୁ ସୁରକ୍ଷିତ ଭାବରେ ସାଇତି ରଖନ୍ତୁ ଯାହାଫଳରେ ପରବର୍ତ୍ତୀ ସ୍ଥିତି ଯାଞ୍ଚ କରାଯାଇପାରିବ। ଏହାର ପ୍ରିଣ୍ଟ କପି ନେଇ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁ, କାରଣ ଏହା ଡିଜିଟାଲ ମାଧ୍ୟମରେ ସିଧାସଳଖ ସମ୍ପୃକ୍ତ ଏଜେନ୍ସି ପାଖରେ ପହଞ୍ଚିଯାଏ।

ଯଦି କୌଣସି ପେନସନଭୋଗୀ ଅନଲାଇନ ମାଧ୍ୟମ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ, ତେବେ ସେମାନେ ଅନ୍ୟ ବିକଳ୍ପ ମଧ୍ୟ ବାଛିପାରିବେ। ପୋଷ୍ଟ ଅଫିସ ପକ୍ଷରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ମାଧ୍ୟମରେ ଘରେ ବସି ଲାଇଫ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ମାଗଣା ଡୋରଷ୍ଟେପ ସେବା (ଘର ପାଖରେ ସେବା) ଦିଆଯାଏ। ଅଧିକାଂଶ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଘରକୁ ଆସି ଲାଇଫ ସାର୍ଟିଫିକେଟ ପ୍ରସ୍ତୁତ କରିବାର ସୁବିଧା ଦେଇଥାନ୍ତି। ଏହା ବ୍ୟତୀତ ନିକଟସ୍ଥ କମନ ସର୍ଭିସ ସେଣ୍ଟର (CSC) କିମ୍ୱା EPFO କାର୍ଯ୍ୟାଳୟକୁ ଯାଇ ମଧ୍ୟ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇପାରିବ।

ଆପଣଙ୍କୁ ଜଣାଇଦେଉଛୁ ଯେ, ଯଦି ନଭେମ୍ୱର ୩୦ ର ଡେଡ୍ଲାଇନ ଛାଡ଼ିଯାଏ, ତେବେ ପରବର୍ତ୍ତୀ ସମୟରେ ପ୍ରମାଣପତ୍ର ଜମା ଏବଂ ଅପଡେଟ ହେବାମାତ୍ରେ, ଅଟକି ରହିଥିବା ପେନସନର ଟଙ୍କା ବାକି (Arrears) ସହିତ ପରବର୍ତ୍ତୀ ପେମେଣ୍ଟ ସାଇକଲରେ ଜାରି କରାଯିବ।

Share