କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ କର୍ମଚାରୀଙ୍କ ଜମା ସଂଯୁକ୍ତ ବୀମା(ଇଡିଏଲ୍‌ଆଇ) ଯୋଜନାରେ ବୀମା ରାଶିକୁ ବୃଦ୍ଧି କରାଯାଇ ଏହାର ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି। ସର୍ବନିମ୍ନ ବୀମା ସୁବିଧା ୨.୫ ଲକ୍ଷ ଟଙ୍କା ଅପରିବର୍ତ୍ତିତ ରହିଥିବାବେଳେ ସର୍ବାଧିକ ବୀମା ରାଶି ୬ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କିତ ସବିଶେଷ ଗାଇଡ୍‌ଲାଇନ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଯେଉଁ ମୃତକଙ୍କ ପରିବାର ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ଏହି ପଦକ୍ଷେପ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନର ନିୟମ ଅନୁଯାୟୀ କର୍ମଚାରୀ ଉଠାଇଥିବା ହାରାହାରି ଦୈନିକ ମଜୁରିର ୯୦% ନିର୍ଭରଶୀଳ ପରିବାର ସଦସ୍ୟ ପେନ୍‌ସନ୍‌ ପାଇବାକୁ ହକ୍‌ଦାର ହେବେ। ଏହି ସୁବିଧା ପିଛିଲା ଭାବେ ୨୦୨୦ ମାର୍ଚ୍ଚ ୨୪ ରୁ ୨୦୨୨ ମାର୍ଚ୍ଚ ୨୪ ମଧ୍ୟରେ ଉପଲବ୍ଧ ହେବ।

Share