ଆଇନରେ ପରିଣତ ହେଲା ପେନ୍‌ସନ ସଂସ୍କାର

ପ୍ୟାରିସ୍‌, ୧୬।୪:  ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁ ଶନିବାର ତାଙ୍କ ବିବାଦୀୟ ପେନ୍‌ସନ ସଂସ୍କାରରେ ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଉକ୍ତ ଆଇନକୁ କାର୍ଯ୍ୟକାରୀ ନ କରିବାକୁ ବିଭିନ୍ନ ୟୁନିୟନର ନିବେଦନ ଓ ଦୀର୍ଘ ୩ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ରାଷ୍ଟ୍ରପତି ଏହାକୁ ଭ୍ରୂକ୍ଷେପ ନ କରି ଆଇନକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାତାରାତି ଫ୍ରାନ୍ସ ସରକାରୀ ପତ୍ରିକାରେ ଉକ୍ତ ଆଇନ ପ୍ରକାଶ ପାଇଛି। ଶୁକ୍ରବାର କନ୍‌ଷ୍ଟିଚ୍ୟୁଶନାଲ କାଉନସିଲ୍‌ ପେନ୍‌ସନ ସଂସ୍କାରକୁ ଅନୁମୋଦନ କରିଥିଲା। ସେଥିରେ ଅବସର ଗ୍ରହଣ ବୟସକୁ ୬୨ରୁ ୬୪କୁ ବୃଦ୍ଧି କରାଯାଇଛି। ସାମ୍ବିଧାନିକ ପରିଷଦ ବିବାଦୀୟ ପେନ୍‌ସନ ସଂସ୍କାର ଯୋଜନାକୁ ଅନୁମୋଦନ କରିବା ପରେ ଏହାର ପ୍ରତିବାଦରେ
ଆନ୍ଦୋଳନକାରୀମାନେ ପ୍ୟାରିସ୍‌ ସିଟି ହଲ୍‌ ବାହାରେ ପୋଡ଼ାଜଳା କରିଥିଲେ। ମେ’ ୧ରେ ଗଣଶ୍ରମ ଦିବସ ବିକ୍ଷୋଭ କରିବାକୁ ୟୁନିୟନଗୁଡ଼ିକ ଚେତାବନୀ ଦେଇଛନ୍ତି।

Share