ବର୍ଷକୁ ପେନ୍‌ସନ କୋଟିଏ ଟଙ୍କା

ଲଣ୍ଡନ,୨୨ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ଲିଜ୍‌ ଟ୍ରସ୍‌ ବାର୍ଷିକ ୧୧୫,୦୦୦ ପାଉଣ୍ଡ (ପ୍ରାୟ ୧.୦୫ କୋଟି ଟଙ୍କା) ପେନ୍‌ସନ ପାଇବେ। ‘ଇଣ୍ଡିପେଣ୍ଡେଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟ୍ରସ୍‌ଙ୍କ କାର୍ଯ୍ୟକାଳ ବ୍ରିଟେନ ଇତିହାସରେ ସବୁଠୁ ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ୧୯୯୧ରେ ପ୍ରଣୀତ ପବ୍ଲିକ୍‌ ଡ୍ୟୁଟି କଷ୍ଟ୍‌ସ ଆଲାଓ୍ବେନ୍ସ(ପିଡିସିଏ) ଅନୁସାରେ ସେ ଜୀବିତ ଥିବା ଯାଏ ପେନ୍‌ସନ ପାଇବାକୁ ଯୋଗ୍ୟ। ୧୯୯୧ ମାର୍ଚ୍ଚରେ ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍‌ ଥାଚରଙ୍କ ଇସ୍ତଫା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ୍‌ ମେଜର ଏହି ପେନ୍‌ସନ ସମ୍ପର୍କରେ ଘୋଷଣା କରିଥିଲେ। ୨୦୨୦-୨୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍‌ ମେଜର ଓ ଟୋନି ବ୍ଲେୟାର ସର୍ବାଧିକ ଭତ୍ତା ପାଇଥିଲେ। ଗୋର୍ଡନ ବ୍ରାଉନ୍‌ ୧୧୪,୭୧୨ ପାଉଣ୍ଡ (୧,୦୫,୬୩,୪୨୮ ଟଙ୍କା), ଡେଭିଡ୍‌ କାମେରୁନ ୧୧୩,୪୨୩ ପାଉଣ୍ଡ (୧,୦୪,୪୪,୭୨୯ ଟଙ୍କା) ଏବଂ ଥେରେସା ମେ’ ୫୭,୮୩୨ ପାଉଣ୍ଡ (୫୩,୨୫,୫୪୭ ଟଙ୍କା) ପାଇଥିଲେ। ଟ୍ରସ୍‌ ଏହି ପେନ୍‌ସନ ସ୍କିମ୍‌ରୁ ଭତ୍ତା ପାଉଥିବା ଅନ୍ୟ ୬ ଜୀବିତ ପ୍ରଧାନମନ୍ତ୍ରୀଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏବେ ଏହି ବାବଦକୁ ବ୍ରିଟେନ ଟିକସଦାତାଙ୍କ ଅର୍ଥରୁ ବାର୍ଷିକ ୮ ଲକ୍ଷ ପାଉଣ୍ଡ ବା ୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ।

Share