ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନ୍ନି ମୋର୍ଡଣ୍ଟ

ଲଣ୍ଡନ,୨୨ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଶୁକ୍ରବାର ଏହି ଦୌଡ଼ରେ ସାମିଲ ହେବା ପାଇଁ ହାଉସ୍‌ ଅଫ୍‌ କମନ୍ସ ଲିଡର ପେନ୍ନି ମୋର୍ଡଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବର ୫ରେ ଆସିଥିବା ପୂର୍ବ ପ୍ରତିଦ୍ୱନ୍ଦ୍ୱିତାର ଫଳାଫଳ ଅନୁସାରେ ଟ୍ରସ୍‌ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ପରେ ମୋର୍ଡଣ୍ଟ ତୃତୀୟ ସ୍ଥାନରେ ଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଦୃଢ଼ ସମର୍ଥକ ରୂପେ ଜଣାଶୁଣା ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲେସ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି। ବେନ୍‌ କହିଛନ୍ତି, ଋଷି ସୁନକ ବୋରିସ୍‌ଙ୍କ ବିରୋଧରେ ପ୍ରାର୍ଥୀ ହେବା ନେଇ କ’ଣ କହୁଛନ୍ତି ତାହା ଜାଣିବାକୁ ସେ ଆଗ୍ରହୀ।
ଭାରତୀୟ ବଂଶୋଦ୍ଭବ ପ୍ରାକ୍ତନ ଚାନ୍‌ସେଲର ଋଷି ସୁନକ ପ୍ରାର୍ଥୀ ହେବା ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ସାଇମନ କ୍ଲାର୍କ ଏବଂ ଜାକୋବ୍‌ ରେସ୍‌-ମୋଗ୍‌ ତାଙ୍କୁ ସମର୍ଥନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆଶାୟୀମାନଙ୍କୁ ଲିଜ୍‌ ଟ୍ରସ୍‌ଙ୍କ ଉତ୍ତରାଧିକାରୀ ଦୌଡ଼ରେ ସାମିଲ ହେବା ପାଇଁ ସୋମବାର ଅପରାହ୍ନ ୨ଟା ସୁଦ୍ଧା ଶାସକ କଞ୍ଜରଭେଟିଭ୍‌ ପାର୍ଟିର ଅନୂ୍ୟନ ୧୦୦ ଏମ୍‌ପିଙ୍କ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ।

Share