Categories: ଜାତୀୟ

ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ବଡ଼ ଚ୍ୟାଲେଞ୍ଜ: ସିଜେଆଇ

ନୂଆଦିଲ୍ଲୀ,୨୭ା୮(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ଏନ୍‌.ଭି. ରମନା ଶୁକ୍ରବାର ଅବସର ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ସିଜେଆଇ କହିବା ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟରେ ମାମଲାଗୁଡ଼ିକର ଶୁଣାଣି ଲାଗି ତାଲିକାଭୁକ୍ତ କରିବାରେ ଯଥେଷ୍ଟ ଧ୍ୟାନ ଦେଇପାରି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ମାମଲାଗୁଡ଼ିକର ତ୍ୱରିତ୍‌ ବିଚାର ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ କରିବା ଜରୁରୀ ହୋଇପଡ଼ିଛି। ସେଭଳି କେତେକ ମଡ୍ୟୁଲର ବିକାଶ ହୋଇଥିଲେ ମଧ୍ୟ ସୁରକ୍ଷାଗତ କାରଣରୁ ସେଥିରେ ଅଗ୍ରଗତି ହୋଇପାରୁ ନାହିଁ ବୋଲି ଜଷ୍ଟିସ ରମନା କହିଛନ୍ତି। ବିଚାର ବ୍ୟବସ୍ଥାର ଆବଶ୍ୟକତା ଅନ୍ୟ ବିଭାଗଠାରୁ ଭିନ୍ନ। ବାର୍‌ ଯଦି ପୂରା ଦମ୍‌ରେ ସହଯୋଗ କରିବାକୁ ନ ଚାହେଁ, ତେବେ ଆବଶ୍ୟକ ପରିବର୍ତ୍ତନ ଆଣିବା କଷ୍ଟକର ହେବ ବୋଲି ବିଦାୟ ସମ୍ବର୍ଦ୍ଧନା ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ। ଏଥିସହିତ ସେ ସମସ୍ତ ସହକର୍ମୀ ଏବଂ ବାର୍‌ର ସବୁ ସଦସ୍ୟଙ୍କୁ ସେମାନଙ୍କ ସକ୍ରିୟ ସହଯୋଗ ଲାଗି ଧନ୍ୟବାଦ ଜଣାଇଥିଲେ।
ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ବେଳେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ତାଙ୍କୁ ନାଗରିକଙ୍କ ବିଚାରପତି ବୋଲି କହିବା ସହ ଭାବବିହ୍ବଳ ହୋଇଯାଇଥିଲେ। ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନା ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିବା, ମନିଲଣ୍ଡରିଂ ମାମଲା ରାୟର ସମୀକ୍ଷା କରିବା, ପେଗାସସ୍‌ ଗୁପ୍ତଚର ମାମଲାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏଥିସହିତ ସେ ସୁପ୍ରିମକୋର୍ଟରେ ସର୍ବାଧିକ ୧୧ ଜଣ ଓ ବିଭିନ୍ନ ହାଇକୋର୍ଟରେ ୨୨୦ ଜଣ ବିଚାରପତିଙ୍କ ନିଯୁକ୍ତି କରାଇଥିଲେ। ସିଜେଆଇ ଭାବେ ଶେଷ ଦିନରେ ଜଷ୍ଟିସ ରମନା ସୁପ୍ରିମକୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣ ବ୍ୟବସ୍ଥା କରାଇଥିଲେ। ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନାର ଦୃଶ୍ୟ ସିଧା ପ୍ରସାରଣ ହୋଇଥିଲା। ସର୍ବୋଚ୍ଚ ଅଦାଲତରେ ପ୍ରୋସିଡିଂର ସିଧାପ୍ରସାରଣ ହେବା ଏହା ପ୍ରଥମ ଘଟଣା।

Share