କାନ୍ଥରେ, ଗଛରେ ପୋଷ୍ଟର ମାରିଲେ ଜରିମାନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ସହରବାସୀ ଏଥିରେ ସହଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ବାରମ୍ବାର ଅପିଲ କରାଯାଉଥିଲେ ମଧ୍ୟ ଜନସାଧାରଣ ଚେତୁନାହାନ୍ତି। ସହରକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ସହରର ବଡ଼ ବଡ଼ କାନ୍ଥ ସୁଚିତ୍ରିତ କରାଯାଉଛି। ବୃକ୍ଷରୋପଣ ମଧ୍ୟ କରାଯାଉଛି। ହେଲେ ରାଜଧାନୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିବିଶେଷ କାନ୍ଥ, ବିଦ୍ୟୁତ୍‌ ଖୁଣ୍ଟ ଓ ଗଛରେ ବିଭିନ୍ନ ବିଜ୍ଞାପନ ପୋଷ୍ଟର ଲଗାଇ ସୌନ୍ଦର୍ଯ୍ୟ କ୍ଷୁଣ୍ଣ କରୁଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଣିକି ବେଆଇନ ଭାବେ ଏଣେତେଣେ ବିଜ୍ଞାପନ ତଥା ଧାର୍ମିକ ପୋଷ୍ଟର ଲଗାଇଲେ ସଂପୃକ୍ତ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ଜରିମାନା ଦେବାକୁ ହେବ। ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ କାନ୍ଥ ଓ ଗଛରୁ ବେଆଇନ ପୋଷ୍ଟର ହଟାଯାଇଥିବାବେଳେ ବୁଧବାରଠାରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଘରୋଇ କୋଚିଂ ସେଣ୍ଟର, ଘରଭଡ଼ା, ଧାର୍ମିକ ମତାମତ, ଜ୍ୟୋତିଷବିଦ୍ୟା ଆଦି ସମ୍ପର୍କିତ ବିଜ୍ଞାପନ ସହରର ସାରା ଦେଖିବାକୁ ମିଳୁଛି। ବିଜ୍ଞାପନ ଲଗାଇବା ନିଷିଦ୍ଧ ବୋଲି କାନ୍ଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଥିଲେ ମଧ୍ୟ ଏହାକୁ ଅବମାନନନା କରାଯାଉଛି। କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ସହରର ବିଭିନ୍ନ କାନ୍ଥକୁ ବିଭିନ୍ନ ଚିତ୍ରରେ ସଜ୍ଜିତ କରାଯାଉଥିଲାବେଳେ ଏହା ଉପରେ ବେଆଇନ୍‌ ବିଜ୍ଞାପନ ଲଗାଯାଉଛି। ପୁଣି ଏହି ପୋଷ୍ଟର ହଟାଇବା ପାଇଁ ଅକାରଣରେ ରାଜସ୍ବ ବ୍ୟୟ ହେଉଥିବାରୁ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି।