Categories: ଜାତୀୟ

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏକ ବୈଷୟିକ ଟିମ୍‌ ଗଠନ କରିବେ, ଯାହାର ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା ବରିଷ୍ଠ ଆଇନଜୀବୀ ତଥା
ଆବେଦନକାରୀ ଉଦୟ ସିଂଙ୍କୁ କହିଛନ୍ତି। ଏହି ସପ୍ତାହରେ ରାୟ ପ୍ରକାଶ ପାଇବାର ଥିଲା। ମାତ୍ର ବୈଷୟିକ ଟିମ୍‌ରେ ସାମିଲ ହେବାକୁ ଥିବା କେତେଜଣ ସଦସ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ସମୟ ଚାହୁଁଥିବାରୁ ସେମାନଙ୍କ ଅନୁରୋଧକୁ ରକ୍ଷା କରି ଆସନ୍ତା ସପ୍ତାହରେ ସଦସ୍ୟଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପରେ ଘୋଷଣା କରାଯିବ ବୋଲି ରମନା କହିଛନ୍ତି। ଗତ ୧୩ତାରିଖରେ ପ୍ରଧାନ ବିଚାରପତି ଏନ୍‌. ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପେଗାସସ୍‌ ବ୍ୟବହାର ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବା ଉଚିତ ହେବ ନାହିଁ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଏହାକୁ ସର୍ବସାଧାରଣରେ ପ୍ରକାଶ ଯୋଗ୍ୟ ଭଳି ବିତର୍କ କରିବା ଠିକ୍‌ ନୁହେଁ। ସୁରକ୍ଷା ବ୍ୟବସ୍ଥା ପାଇଁ ସରକାର ପେଗାସସ୍‌କୁ ବ୍ୟବହାର କରିଛନ୍ତି କି ନାହିଁ ତାହା ପ୍ରକାଶ କରାଯାଇ ପାରିବ ନାହିଁ। ବିଶେଷକରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏହା ସୁହାଇବ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ନିରପେକ୍ଷ ବୈଷୟିକ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଉକ୍ତ କମିଟି ତା’ର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଉପସ୍ଥାପନ କରିବେ ବୋଲି ମେହେଟ୍ଟା କହିଥିଲେ। ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କହିଥିଲେ ଯେ, ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ସମ୍ପର୍କିତ କି ନୁହେଁ ଆମେ ତାହା ଜାଣିବାକୁ ଚାହୁଁ ନାହୁଁ। କେବଳ ଏହା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ଗୁପ୍ତରେ ନଜର ରଖିବା ନେଇ ଆଗତ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଚାହୁଁଛୁ। ସରକାର ଆଇନ ବାହାରକୁ ଯାଇ ଏହାକୁ ବ୍ୟବହାର କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଖଣ୍ଡପୀଠ ଆଗ୍ରହୀ ବୋଲି ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ।

Share