Categories: ଜାତୀୟ

ନିର୍ବାଚନୀ ରାଜ୍ୟକୁ ଯିବେ କୃଷକ ନେତା

ନୂଆଦିଲ୍ଲୀ, ୩ା୩: ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ୫ ରାଜ୍ୟରେ ଭାଜପାକୁ ଲୋକେ ଭୋଟ ନ ଦେବାକୁ କୃଷକ ସଙ୍ଗଠନ ଭାରତୀୟ କିଷାନ ୟୁନିଅନ(ବିକେୟୁ) ପକ୍ଷରୁ ଅନୁରୋଧ କରାଯିବ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚାଷୀ ନେତା ଯାଇ ଭାଜପା ବିରୋଧରେ ଭୋଟ ଦେବାକୁ ଲୋକଙ୍କୁ କହିବେ ବୋଲି ବିକେୟୁ ନେତା ବଲବୀର ଏସ୍‌ ରାଜଓ୍ବୋଲ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୨ରୁ ପ୍ରଥମେ ପଶ୍ଚିମବଙ୍ଗରୁ ଏହି ଅଭିଯାନ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତା ୬ ତାରିଖରେ କେଏମ୍‌ପି ଏକ୍ସପ୍ରେସ ଓ୍ବେ ଅବରୋଧ କରାଯିବ। କେନ୍ଦ୍ରର ଭାଜପା ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନରତ ଚାଷୀଙ୍କ ଦାବି ଶୁଣୁ ନ ଥିବାରୁ ଏପରି କରାଯିବାକୁ ନିଷ୍ପତ୍ତି ହୋଇଥିବା ରାଜଓ୍ବୋଲ ପ୍ରକାଶ କରିଛନ୍ତି। ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସଙ୍ଗଠନ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାବେଳେ ଯେଉଁ ପ୍ରାର୍ଥୀ ଭାଜପାକୁ ହରାଇପାରିବେ ତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରାଯିବ। ସଙ୍ଗଠନ ନେତୃବୃନ୍ଦ ଜନସାଧାରଣଙ୍କ ନିକଟରେ ପହଞ୍ଚି କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି ବିଷୟରେ ଅବଗତ କରାଯିବ ବୋଲି ରାଜଓ୍ବୋଲ କହିଛନ୍ତି। ଏହାପରେ ଅଣ ନିର୍ବାଚନୀ ରାଜ୍ୟରେ ମଧ୍ୟ ଏହି ଢଙ୍ଗରେ ଆନ୍ଦୋଳନ ଚାଲିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Share