ଗରୁଡ଼ବନ୍ଦୀକୁ ଫେରିଲା ଶାନ୍ତି

ଭୁବନ, ୨୨।୩(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ବାଲିବୋ ପଞ୍ଚାୟତର ଗରୁଡ଼ବନ୍ଦୀ ଗ୍ରାମରେ ଲାଗି ରହିଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ହୋଇଛି। ପ୍ରଶାସନିକ ହସ୍ତକ୍ଷେପ ପରେ ଦୁଇ ଗୋଷ୍ଠୀ ଭାଇଚାରା ମଧ୍ୟରେ ଏକାଠି ଚଳିବାକୁ ସହମତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ଦୁଇମାସ ତଳେ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ସାମଲଙ୍କ ଦୃଷ୍ଟିକୁ ମାମଲା ଆସିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତଦନୁଯାୟୀ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ତତ୍ତ୍ୱାବଧାନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏସ୍‌ଡିପିଓ ରଞ୍ଜନ କୁମାର ଦେ, ବିଡିଓ ଅଂଶୁମାନ ମହାପାତ୍ର, ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ସମେତ ଅଞ୍ଚଳର ଜନପ୍ରତିନିଧି ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ ଉଭୟ ପକ୍ଷ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ରାଗରୁଷା ଭୁଲି ଗ୍ରାମରେ ଭାଇଚାରା ବଜାୟ ରଖିବା ଏବଂ ଅଞ୍ଚଳର ସମସ୍ତ କାର୍ଯ୍ୟରେ ସହଭାଗୀ ହୋଇ କାର୍ଯ୍ୟ କରିବାକୁ ଦୁଇ ପକ୍ଷ ସହମତ ଜଣାଇଛନ୍ତି। ବହୁ ଦିନ ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବାରେ ପ୍ରଶାସନ ସଫଳ ହୋଇଥିବାରୁ ଏହାକୁ ସମସ୍ତେ ସ୍ବାଗତ କରିଛନ୍ତି।