ନୂଆଦିଲ୍ଲୀ,୧୯ା୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ସୀମାରେ ଶାନ୍ତି ଜରୁରୀ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ୟି’ଙ୍କୁ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କର ସୋମବାର କହିଛନ୍ତି। ୨ ଦେଶ ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ତେଣୁ ଏକ ସ୍ପଷ୍ଟ ଏବଂ ସହଯୋଗୀ ଆଭିମୁଖ୍ୟ ନେଇ ଆଗକୁ ବଢ଼ିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସୀମା ପ୍ରସଙ୍ଗ ଉପରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ, କାରଣ ଆମ ସମ୍ପର୍କର ଯେକୌଣସି ସକାରାତ୍ମକ ଗତିର ଆଧାର ହେଉଛି ସୀମାନ୍ତ ଅଞ୍ଚଳରେ ମିଳିତ ଭାବେ ଶାନ୍ତି ବଜାୟ ରଖିବା। ଉତ୍ତେଜନା ହ୍ରାସ ପଦକ୍ଷେପକୁ ଆଗେଇନେବାରେ ମଧ୍ୟ ଏହା ଜରୁରୀ। ଏଥିପାଇଁ ଉଭୟ ପକ୍ଷ ସ୍ପଷ୍ଟ ଏବଂ ଗଠନମୂଳକ ଆଭିମୁଖ୍ୟ ରଖିବା ସହ ପାରସ୍ପରିକ ସମ୍ମାନ, ସମ୍ବେଦନଶୀଳତା ଏବଂ ପାରସ୍ପରିକ ସ୍ବାର୍ଥକୁ ଗୁରୁତ୍ୱ ଦେବାକୁ ହେବ। ମତପାର୍ଥକ୍ୟ କଦାପି ବିବାଦ ବା ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ନ ହେଉ ବୋଲି ଜୟଶଙ୍କର କହିଛନ୍ତି।


