ମଟର କୋପ୍ତା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ଗ୍ରୀନ୍‌ ମଟର, ୨ ଚାମଚ ବେସନ, ୨-୩ଟି ମଧ୍ୟମ ଆକାରର ଟମାଟୋ, ୨ଟି ପିଆଜ, କଞ୍ଚା ଲଙ୍କା, ରସୁଣ, ଅଦା, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ହେଙ୍ଗୁ, ଗରମ ମସଲା, ଡାଳଚିନି, ଲବଙ୍ଗ, ତେଜପତ୍ର, ଆବଶ୍ୟକ ଅନୁସାରେ ତେଲ, ଲୁଣ ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟରକୁ ଭଲଭାବରେ ଧୋଇ ଦିଅନ୍ତୁ। ପରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ବାଓ୍ବେଲରେ ମଟର ପେଷ୍ଟକୁ କାଢି ସେଥିରେ ଲଙ୍କାଗୁଣ୍ଡ, ଲୁଣ ଓ ବେସନ ପକାଇ ଗୋଳାନ୍ତୁ। ସେହି ମିଶ୍ରଣରୁ ଗୋଲ ଗୋଲ ଗୁଳା ତିଆରି କରନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ସଥିରେ ଗୁଳାକୁ ପକାଇ ଭାଜନ୍ତୁ। ମଟର କୋପ୍ତା ଲାଲ ପଡିଗଲେ ତାହାକୁ କାଢି ରଖି ଦିଅନ୍ତୁ। ଆଉ ଗୋଟିଏ କଡେଇରେ ତେଲ ଗରମ କରି ସେଥିରେ ସମସ୍ତ ଶୁଖିଲା ମସଲା ଏବଂ ହେଙ୍ଗୁ ପକାଇ ଭାଜନ୍ତୁ। ସେଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ଅଦା, ରସୁଣ, ପିଆଜ ଓ ଟମାଟୋ ପେଷ୍ଟ ପକାଇ ଗୋଳାନ୍ତୁ। ତାହା ଭଲ ଭାବେ ଗାଢ଼ ହୋଇଗଲେ ଅଳ୍ପ ପାଣି ଦେଇ ଗୋଳାନ୍ତୁ। ଏହା ଫୁଟିବା ଆରମ୍ଭ ହେଲେ ପୂର୍ବ ପ୍ରସ୍ତୁତ ମଟର କୋପ୍ତା ପକାନ୍ତୁ। ସେଥିରେ ଅଳ୍ପ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ଏବଂ ଚୁଲା ବନ୍ଦ କରିଦିଅନ୍ତୁ। ଏହା ଉପରେ କଟା ଧନିଆ ପତ୍ର ପକାଇ ଗାର୍ନିସ୍‌ କରନ୍ତୁ। ପ୍ରସ୍ତୁତ ହୋଇଗଲା ମଟର କୋପ୍ତା। ଏହାକୁ ଭାତ କିମ୍ବା ରୁଟି ସହ ଗରମ ଗରମ ପରଷି ଦିଅନ୍ତୁ।