ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିଲେ ପିସିସି ସଭାପତି

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୨୮ା୧: ରାୟଗଡ଼ା ସଦର ମହକୁମା ଓ ରାମନାଗୁଡ଼ା ଠାରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଭାରତ ଯୋଡ଼ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକଙ୍କ ସମେତ ପ୍ରଦେଶ କମିଟିର ଏସ୍‌ସି ସେଲ ସଭାପତି ବାଞ୍ଛାନିଧି ବେହେରା ଓ କଟକ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ସ୍ଥାନୀୟ କପିଳାସ ଛକ ଠାରୁ ବାହାରି ଅଶୋକା ସିନେମା ହଲ ଛକଠାରେ ଶେଷ ହୋଇଥିଲା। ଏଥିପୂର୍ବରୁ ପିସିସି ଉପସଭାପତି ରତ୍ନମଣି ଉଲାକା, ସାଧାରଣ ସମ୍ପାଦକ ସିମାଞ୍ଚଳ ଉଲାକା ଓ ଦଳୀୟ ନେତା ଆପଲସ୍ବାମୀ କାଡ୍ରାକା, ଆଇଏନ୍‌ଟିୟୁସିର ଜିଲା ସଭାପତି ଭବାନି ଶଙ୍କର ଜେନା ଉପସ୍ଥିତ ରହି ପିସିସ ସଭାପତି ପଟ୍ଟନାୟକଙ୍କୁ ରାୟଗଡ଼ା ଠାରେ ସ୍ବାଗତ କରିଥିଲେ। ଏହି ଅବସରରେ ଶରତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାର ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନ ରହିବା, ବେକାର ଯୁବତୀ, ଯୁବକଙ୍କ ପାଇଁ ନିଯୁ୍‌କ୍ତି ସୁଯୋଗ ସୃଷ୍ଟି ନ ହେବା ଅପାରଗତାର ପରିଚୟ ବୋଲି ସେ କହିଥିଲେ। ସେହିଭଳି ଓଡ଼ିଶାରେ ଅପରାଧ, ଦରଦାମ ବୃଦ୍ଧି, ନିଯୁକ୍ତି ସୁଯୋଗ ନ ଦେବା, ଚାଷୀ ଆତ୍ମହତ୍ୟା ଆଦି ବିଷୟକୁ ନେଇ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ ଜନସଚେତନତା କରିବା ଭାରତ ଯୋଡ଼ ଯାତ୍ରାର ଉଦ୍ଦେଶ୍ୟ ବୋଲି କହିଥିଲେ। ଆଗାମୀ ନିର୍ବାଚନରେ କଂଗ୍ରେସ ଉଭୟ ବିଜେଡି ଏବଂ ଭାଜପାକୁ କଡ଼ା ଟକ୍କର ଦେବା ସହିତ କ୍ଷମତାକୁ ଫେରି ଜନସାଧାରଣଙ୍କ ହିତ ପାଇଁ କାମ କରିବ। ତେଣୁ ଦଳକୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପଦଯାତ୍ରାକୁ ରାୟଗଡ଼ା ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ। ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ପାର୍ଥବର୍ଦ୍ଧନ, ଯୁବ କଂଗ୍ରେସ ସଭାପତି ଅସଲାମ ଖାନ୍‌ ଓ ଏମ୍‌ପିଙ୍କ ପିଏ ଗୌରୀ ପଟ୍ଟନାୟକ ସହଯୋଗ କରିଥିଲେ।