Categories: ଖେଳ

ବାବରଙ୍କୁ ଅଧିନାୟକ କରିବାକୁ ଚାହୁଁଛି ପିସିବି

ଲାହୋର,୩୧।୩: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ମହସିନ ନକ୍‌ଭି ବାବର ଆଜାମଙ୍କୁ ହ୍ବାଇଟ୍‌ ବଲ୍‌ ଫର୍ମାଟ ଅଧିନାୟକ ପଦବୀ ଯାଚିଛନ୍ତି। କିନ୍ତୁ ଷ୍ଟାର ଖେଳାଳି ଜଣକ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ ଖବର ଅନୁସାରେ ପାକିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ହେବା ଲାଗି ସର୍ତ୍ତ ରଖିଛନ୍ତି। ଏହାଛଡ଼ା କୋଚ୍‌ ମନୋନୟନ ବେଳେ ତାଙ୍କ ମତାମତକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି। ଏହି ପ୍ରସଙ୍ଗରେ ଜାତୀୟ ସିଲେକ୍ସନ କମିଟିରେ ମତଭେଦ ଦେଖାଦେଇଛି।

କ୍ରିକେଟ ପୃଷ୍ଠଭୂମି ନ ଥିବା ପଞ୍ଜାବର ଜଣେ ପୂର୍ବତନ କାମଚଳା ମନ୍ତ୍ରୀ ବାବରଙ୍କୁ ସମ୍ପୂର୍ଣ୍ଣ ୩ଟି ଫର୍ମାଟର ଅଧିନାୟକ ଭାବେ ଫେରାଇ ଆଣିବା ସପକ୍ଷରେ ନାହାନ୍ତି। ସିଲେକ୍ସନ କମିଟିର କେତେଜଣ ସଦସ୍ୟଙ୍କ ମତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଏପ୍ରିଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ଘରୋଇ ଟି୨୦ ସିରିଜ ଲାଗି ଶାହିନ ଶାହା ଆଫ୍ରିଦି ଅଧିନାୟକ ପଦ ବଜାୟ ରଖନ୍ତୁ। ଦକ୍ଷତା ପ୍ରମାଣ ପାଇଁ ତାଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଉ। କୌତୂହଳର କଥା ମହମ୍ମଦ ୟୁସୁଫ, ଅସାଦ ସଫିକ୍‌, ଅବ୍‌ଦୁଲ ରଜାକ୍‌, ଓ୍ବାହାବ ରିଆଜ୍‌ ଏବଂ ପୂର୍ବତନ ମନ୍ତ୍ରୀ ବିଲାଲ ଅଫ୍‌ଜଲଙ୍କ ସମେତ ଚୟନକର୍ତ୍ତାଗଣ ମହସିନ ନକ୍‌ଭିଙ୍କ ସହ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।

Share