ଲାହୋର,୧୧।୩: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍ଯାପନୀ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସିଇଓ ଏବଂ ଟୁର୍ନାମେଣ୍ଟ ଡାଇରେକ୍ଟର ସୁମେର ଅହମ୍ମଦ ସୟଦଙ୍କୁ ଅଣଦେଖା କରାଯାଇଥିଲା। ଏଥିଲାଗି ପିସିବି ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ପ୍ରତିବାଦ ଦାଖଲ କରିବ।
ସୂତ୍ରରୁ କୁହାଯାଇଛି ଯେ, ପୁରସ୍କାର ବିତରଣ ଉତ୍ସବରେ ସୟଦଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରା ନ ଯିବା ସମ୍ପର୍କରେ ଆଇସିସି ପକ୍ଷରୁ ରଖାଯାଇଥିବା ଉତ୍ତରରେ ପିସିବି ଚେୟାରମ୍ୟାନ ମହସିନ ନକ୍ଭି ସନ୍ତୁଷ୍ଟ ନୁହନ୍ତି। ଆଇସିସି ପକ୍ଷରୁ କୁହାଯାଇଥିଲା ଯେ, ପୁରସ୍କାର ବିତରଣ ଲାଗି ନକ୍ଭିଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବାକୁ ଯୋଜନା କରାଯାଇଥିଲା। ହେଲେ ଫାଇନାଲ ମ୍ୟାଚ ଲାଗି ସେ ନଜର ନ ଆସିବାରୁ ଯୋଜନାରେ ପରିବର୍ତ୍ତନ କରିଥିଲେ। ଆଇସିସିର ଏହି ଉତ୍ତରକୁ ପ୍ରତ୍ୟାଖ୍ୟାନ କରିବା ସହ ପିସିବି ପକ୍ଷରୁ କୁହାଯାଇଛି ଯେ, ଟୁର୍ନାମେଣ୍ଟ ବେଳେ ଆଇସିସି ଅନେକ ତ୍ରୁଟି କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପ୍ରସାରଣ ବେଳେ ‘ସିଟି୨୦୨୫’ ଲୋଗୋରେ ପରିବର୍ତ୍ତନ କରାଯିବା ସହିତ ଲାହୋରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚରେ ଭାରତୀୟ ଜାତୀୟ ସଂଗୀତ ଲଗାଯିବା ଭଳି ତ୍ରୁଟି ହୋଇଥିଲା। ତେବେ ଆଇସିସି ପକ୍ଷରୁ ଦାବି କରାଯାଇଥିଲା ଯେ, ପ୍ଲେ-ଲିଷ୍ଟ ମିଶି ଯାଇଥିବାରୁ କିଛି ସେକେଣ୍ଡ ପାଇଁ ଭାରତୀୟ ଜାତୀୟ ସଂଗୀତ ବାଜିଥିଲା।
ବିସିସିଆଇ ସଭାପତି ରୋଜର ବିନି ଭାରତୀୟ ଖେଳାଳିଙ୍କୁ ଧଳା ଜ୍ୟାକେଟ ଓ ମ୍ୟାଚ ଅଫିସିଆଲଙ୍କୁ ପଦକ ଦେଇଥିଲେ। ଆଇସିସି ଚେୟାରମ୍ୟାନ ଜୟ ଶାହା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଚାମ୍ପିୟନ୍ସ ଟ୍ରଫି ପ୍ରଦାନ କରିବା ସହ ଚାମ୍ପିୟନ ଦଳର ଖେଳାଳିଙ୍କୁ ପଦକ ପ୍ରଦାନ କରିଥିଲେ। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଓ ନ୍ୟୁଜିଲାଣ୍ଡ କ୍ରିକେଟର ସିଇଓ ରୋଜର ଟୁସେ ମଞ୍ଚରେ ଉପସ୍ଥିତ ଥିଲେ।


