ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ ୬ ହଜାର ଟଙ୍କା ପିସି ନେଉଥିବା ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି। ରିଷିଗାଁ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ହୋଇଥିବା ଏକ ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ ଏହି ଟଙ୍କା ନିଆଯାଇଥିବା ଚର୍ଚ୍ଚା ହେଉଛି। ଉକ୍ତ ଡ୍ରେନ୍‌ କାମଟି ୩ ଲକ୍ଷ ୨୦ ହଜାର ଟଙ୍କାର ବୋଲି ଜଣାପଡ଼ିଛି। ବିଲ୍‌ ପାସ୍‌ କରାଇଦେବା ନାଁରେ କର୍ମଚାରୀ ଜଣକ ପିସି ମାଗୁଥିବା ଅଭିଯୋଗ ହୋଇଛି। ଏ ନେଇ ଖଡ଼ିଆଳ ବିଡିଓ ମିଲନ କୁମାର ଝାଙ୍କରଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ ଜାଣିନାହାନ୍ତି। ଭିଡିଓ ଦେଖିବା ପରେ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ଖଡ଼ିଆଳ ବ୍ଲକ୍‌ରେ ସରକାରୀ କାମର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Odisha’s No.1 Odia Daily