ପିସି ନ ଦେଲେ କାମ ହେଉନି

ଦଶମନ୍ତପୁର, ୬ା୧୨ ( ଡି.ଏନ.ଏ):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପିସି କାରବାର ଖୁଲୁମଖୋଲା ଭାବେ ଚାଲିଛି। ଯେ କୌଣସି କାର୍ଯ୍ୟରେ ପିସି ନ ଦେଲେ କିଛି ହେଉନି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିଥିବା ଠିକାଦାରଙ୍କ ଅର୍ଥରୁ ୧୦ ପ୍ରତିଶତ ପିସି ବାବଦରେ ଟଙ୍କା କାଟି ନେଇଛନ୍ତି। ଫଳରେ ଅର୍ଥ ଖର୍ଚ୍ଚ କରି ଦିନ ରାତି କରିଥିବା ଠିକାଦାର ଜଣକ ହତାଶ ହୋଇଛନ୍ତି। ଏପରି ଦେଖିବାକୁ ମିଳିଛି ଜିଲାର ଦଶମନ୍ତପୁର ବ୍ଲକ ପୋଡାଗଡ଼ ପଞ୍ଚାୟତର ଲମତାପୁଟ ଗ୍ରାମରେ।
ଏହି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଗତ ୨୦୨୦ ଆର୍ଥିକ ବର୍ଷରେ ନାଲକୋ ଉନ୍ନୟନ ପାଣ୍ଠିରୁ ୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲା। ଏହାର ଦାୟିତ୍ୱ ଡିପିଇପିର କନିଷ୍ଠ ଯନ୍ତ୍ରୀ ପଦ୍ମଲୋଚନ ବେହେରା ବୁଝୁଥିଲେ। ତାଙ୍କ ନାଁରେ କାର୍ଯ୍ୟାଦେଶ ଥିଲା। ଲମତାପୁଟ ଗ୍ରାମର ଠିକାଦାର ରାମଚନ୍ଦ୍ର ଚୌଧୁରୀ ଶ୍ରେଣୀଗୃହ ନିର୍ମାଣ ଦାୟିତ୍ୱ ନେଇଥିଲେ। ଠିକାଦାର ଚୌଧୁରୀ ଧାରଉଧାର କରି ସିମେଣ୍ଟ, ବାଲି, ଗୋଡି ଇଟା ଆଦି ଆଣି ନୂତନ ଗୃହ ନିର୍ମାଣ କଲେ। ମାତ୍ର ଅର୍ଥ ପାଇବା ବେଳକୁ ଠିକାଦାର ଚୌଧୁରୀଙ୍କୁ କନିଷ୍ଠଯନ୍ତ୍ରୀ ପ୍ରଥମ କିସ୍ତି ବାବଦରେ ମାତ୍ର ୪ ଲକ୍ଷ ୭୦ ଟଙ୍କା ଦେଇଥିଲେ। ଅବଶିଷ୍ଟ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଆତ୍ମସାତ କରିବାକୁ କନିଷ୍ଠ ଯନ୍ତ୍ରୀ ଉଦ୍ୟମ କରି ବିଭିନ୍ନ ଆଳ ଦେଖାଇ ଆସୁଥିଲେ। ବାରମ୍ବାର ବିଲ୍‌ ବାବଦ ଟଙ୍କା ମାଗି ହତାଶ ହେବା ପରେ ଠିକାଦାର ଚୌଧୁରୀ ନଭେମ୍ବର ୧୦ରେ ସ୍କୁଲରେ ତାଲା ପକାଇ ଦେଇଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପରେ କନିଷ୍ଠଯନ୍ତ୍ରୀ ଗତ ୨୮ ତାରିଖରେ ଚୌଧୁରୀଙ୍କୁ ମାତ୍ର ୧ ଲକ୍ଷ ୨୩ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ଟଙ୍କା ଦେବାକୁ ଠିକାଦାର କହିବାରୁ ସେ ଶୁଣି ନ ଥିଲେ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ପିସି ବାବଦରେ କିଛି ନେଇନି। ଜିଏସଟି ବିଲ୍‌ ଭାଉଚର୍‌ ବାବଦରେ ଯାହା କଟାଯାଇଛି। ଏହା ସରକାରଙ୍କ ତହବିଲ୍‌କୁ ଯାଇଛି। ଏନେଇ ଠିକାଦାର କହିଛନ୍ତି, ସିମେଣ୍ଟ, ବାଲି ଗୋଡି ଇଟା ଓ କଲର୍‌ ବାବଦରେ ଥିବା ସବୁ ଜିଏସଟି ବିଲ୍‌ ଭାଉଚର୍‌ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲି।