ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି)କୁ ୫୪ ରନରେ ପରାସ୍ତ କରିଛି। ଏଥିସହିତ ପଞ୍ଜାବର ବିଜୟ ଧାରା ଜାରି ରହିଥିବା ବେଳେ ଏହା ଦଳର ଷଷ୍ଠ ମ୍ୟାଚ୍ରେ ପଞ୍ଚମ ବିଜୟ।
ବ୍ୟାଟିଂ କରିଥିବା ପଞ୍ଜାବ ଆରମ୍ଭରୁ ଓପନର ପ୍ରଭସିମରନ ସିଂ(୦)ଙ୍କ ଉଇକେଟ ହରାଇଥିଲା। ନଂ. ୩ରେ ଆସିଥିବା କନୋଲୀ, ଅନ୍ୟତମ ଓପନର ପ୍ରିୟାଂଶଙ୍କ ସହ ମିଶି ୮୦ ବଲରେ ଦଳୀୟ ସ୍କୋରରେ ୧୮୨ ରନ ଯୋଡ଼ିଥିଲେ। କନୋଲୀ ୪୬ ବଲରେ ୮୭ (୮ ଚୌକା ଓ ୭ ଛକା) ଓ ପ୍ରିୟାଂଶ ୩୭ ବଲରେ ୯୩ (୪ ଚୌକା ଓ ୯ ଛକା) ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ମାର୍କସ ଷ୍ଟୋଇନିସ ୧୬ ବଲରେ ୨୯ (୨ ଲେଖାଏ ଚୌକା ଓ ଛକା) ଓ ଶଶାଙ୍କ ସିଂ ୬ ବଲରେ ୧୭ (୧ ଚୌକା ଓ ୨ ଛକା) ରନ କରିଥିଲେ। ଫଳରେ ପଞ୍ଜାବ ନର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୫୪ ରନ କରିଥିଲା।
ଜବାବରେ ଲକ୍ଷ୍ନୌକୁ ମିଚେଲ ମାର୍ଶ (୨୮ ବଲ, ୪୦ ରନ, ୩ ଚୌକା ଓ ୨ ଛକା) ଓ ଆୟୁଷ ବଦୋନୀ (୨୧ ବଲ, ୩୫ ରନ, ୫ ଚୌକା ଓ ୧ ଛକା) ୬ ଓଭରରେ ୬୧ ରନର ଆରମ୍ଭ ଦେଇଥିଲେ। ନଂ.୩ରେ ଆସିଥିବା ଅଧିନାୟକ ରିଷଭ ପନ୍ତ ୨୩ ବଲରେ ୪୩ (୧ ଚୌକା ଓ ୪ ଛକା) ରନ କରିଥିବା ବେଳେ ନିକୋଲାସ ପୁରନ (୯) ଫେଲ ମାରିଥିଲେ।
ଶେଷ ଆଡ଼କୁ ଏଡେନ ମାରକ୍ରାମ (୨୨ ବଲ, ୪୨ ରନ, ୩ ଲେଖାଏ ଚୌକା ଓ ଛକା) ଓ ମୁକୁଲ ଚୌଧାରୀ (୨୧ ରନ, ୧ ଲେଖାଏ ଚୌକା ଓ ଛକା) ଚେଷ୍ଟା କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ହୋଇ ନ ଥିଲା। ଲକ୍ଷ୍ନୌ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ କରିଥିଲା।