Categories: ଜାତୀୟ

ପେଟିଏମ୍‌ ସିଇଓ ଗିରଫ, ପରେ ଜାମିନ୍‌ …

ନୂଆଦିଲ୍ଲୀ, ୧୩।୩ : ପେଟିଏମ୍‌ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଜୟ ଶେଖର ଶର୍ମା ଏକ ଜାଗୁଆର ଲ୍ୟାଣ୍ଡ ରୋଭର ଗାଡିରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ କାରକୁ ଧକ୍କା ଦେଇଥିଲା। ଏହି ଘଟଣା ୨୨ ଫେବୃଆରୀରେ ଘଟିଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ପରେ ବିଜୟ ଶେଖର ଶର୍ମା ତାଙ୍କ ଗାଡି ସହିତ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଯେଉଁ ଗାଡିରେ ଜାଗୁଆର ଲ୍ୟାଣ୍ଡ ରୋଭର ଧକ୍କା ହୋଇଥିଲା ତାହା ଦକ୍ଷିଣ ଦିଲ୍ଲୀର ଡିସିପିଙ୍କର ଗାଡି ଥିଲା। ଡ୍ରାଇଭର ପେଟ୍ରୋଲ ଭରିବା ପାଇଁ ଯାଉଥିବା ସମୟରେ ଏଭଳି ଘଟିଥିଲା। ତେବେ ସେହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗାଡିଟି ଗୁରୁଗାଓଁର ଏକ କମ୍ପାନୀ ନାମରେ ପଞ୍ଜିକୃତ ହୋଇଥିଲା। ଯେତେବେଳେ ପୋଲିସ ଟିମ୍‌ କମ୍ପାନୀ ସହ ଯୋଗାଯୋଗ କଲେ, ସେତେବେଳେ ଜଣାପଡିଥିଲା ଯେ ଗାଡିଟି ଗ୍ରେଟର କୈଳାସ ପାର୍ଟ-୨ର ବାସିନ୍ଦା ବିଜୟ ଶେଖର ଶର୍ମାଙ୍କ ଦ୍ୱାରା ପରିଚାଳିତ ହେଉଛି। ପରେ ପୋଲିସ ବିଜୟ ଶେଖର ଶର୍ମାଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ପୋଲିସ ଷ୍ଟେସନରୁ ଜାମିନ ପ୍ରଦାନ କରାଯାଇଥିଲା।

ମୋବାଇଲ ୱାଲେଟ ପେଟିଏମର ପ୍ରତିଷ୍ଠାତା ୩୯ ବର୍ଷ ବୟସ୍କ ବିଜୟ ଶେଖର ଶର୍ମା ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ବିଲିୟନେୟାର। ଫୋର୍ବସ ପତ୍ରିକାରେ ୨୦୧୮ରେ ସେ ୧୩୯୪ ତମ ସ୍ଥାନରେ ରହିଥିଲେ। ତାଙ୍କର ମୋଟର ନିଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡଲାର।

ଶର୍ମା ହେଉଛନ୍ତି ୪୦ ବର୍ଷରୁ କମ ଭାରତୀୟ କୋଟିପତି। ବିଜୟ ଶର୍ମା ୨୦୧୧ ରେ ମୋବାଇଲ ୱାଲେଟ ପେଟିଏମ ପ୍ରତିଷ୍ଠା କରିଥିଲେ। ଏହା ସହିତ ଇ-କମର୍ସ ବ୍ୟବସାୟ ପେଟିଏମ ମଲ ଏବଂ ପେଟିଏମ ପେମେଣ୍ଟ ବ୍ୟାଙ୍କ ମଧ୍ୟ ସ୍ଥାପନା କରିଥିଲେ।

Share