ଟିକସ ଆଦାୟ କରୁଛି, ରକ୍ଷଣାବେକ୍ଷଣ କରୁନି ଆର୍‌ଏମ୍‌ସି

କୁନ୍ଦୁରା,୨୫ା୧୨ (ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ସଦର ମହକୁମାରେ ବୁଧବାର ବସୁଥିବା ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ହାଟ ମଧ୍ୟରେ ଥିବା ପିଣ୍ଡି ଏବଂ ପୁରୁଣା ଆଶ୍ରୟସ୍ଥଳୀଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠାରେ ବିପଜ୍ଜନକ ଅବସ୍ଥାରେ ଚାଷୀ ବ୍ୟବସାୟ କରୁଛନ୍ତି। କୁନ୍ଦୁରା ବ୍ଲକ ଅଧୀନରେ ୧୬ ପଞ୍ଚାୟତ ରହିଥିବା ବେଳେ ସେଥିରୁ ୮ ପଞ୍ଚାୟତର ଚାଷୀ ପରିବା ଚାଷକରି ଜୀବିକା ନିର୍ବାହ କରିଥାନ୍ତି। ଏହି ସାପ୍ତାହିକ ହାଟରେ ପନି ପରିବା ସମେତ ବାଉଁଶ ତିଆରି ଘରୋଇ ଉପକରଣ,ମାଟିହାଣ୍ଡି,ଝାଡ଼ୁ ଆଦି ବିକ୍ରି ହୋଇଥାଏ। ବର୍ଷାଦିନେ ହାଟ ମଧ୍ୟରେ କାଦୁଅ ଭର୍ତ୍ତି ହୋଇଯାଏ। ବହୁ କଷ୍ଟରେ ଚାଷୀ ଏଠାରେ ବ୍ୟବସାୟ କରିଥାନ୍ତି। ପୁରୁଣା କାଳର ଏହି ହାଟର ଆଶ୍ରୟସ୍ଥଳୀଗୁଡ଼ିକରେ ମହିଳାମାନେ ପ୍ରତ୍ୟହ ବିଭିନ୍ନ ଜିନିଷ ବିକ୍ରି କରିଥାନ୍ତି। ବୁଧବାର ସାପ୍ତାହିକ ହାଟରେ ପ୍ରାୟ ୧୦୦୦ରୁ ୧୨୦୦ ବ୍ୟବସାୟୀ ବିଭିନ୍ନ ବ୍ୟବସାୟ କରୁଥିବା ଦେଖିବାକୁ ମିଳେ। ସେମାନଙ୍କଠାରୁ ଜୟପୁର ନିୟନ୍ତ୍ରିତ ବଜାର କମିଟି ୧୦ ଟଙ୍କା ଲେଖାଏ ଟିକସ ଆଦାୟ କରୁଛି। ଏଠାରୁ ଲକ୍ଷାଧିକ ଟଙ୍କା ପ୍ରତି ମାସରେ ଆଦାୟ ହେଉଥିବା ବେଳେ ହାଟର ରକ୍ଷଣାବେକ୍ଷଣ ପ୍ରତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ବାଣୁଆଗୁଡ଼ା ପଞ୍ଚାୟତର ତାରାପୁଟ ହାଟ ସୋମବାର,ଡଙ୍ଗରପାଉଁଶି ପଞ୍ଚାୟତର ଭେଜାହାଣ୍ଡି ହାଟ ରବିବାର,ଲିମା ପଞ୍ଚାୟତର ପ୍ରଧାନିଗୁଡ଼ା ହାଟ ଗୁରୁବାର, ଦିଗାପୁର ପଞ୍ଚାୟତର ଖୁଡ଼ୁପିଠାରେ ମଧ୍ୟ ହାଟ ଗୁରୁବାର ବସେ। ଏହି ହାଟଗୁଡ଼ିକର ଉନ୍ନତି, ରକ୍ଷଣାବେକ୍ଷଣ ପ୍ରତି ଆର୍‌ଏମ୍‌ସି ଗୁରୁତ୍ୱ ନ ଦେବାରୁ ଧୀରେ ଧୀରେ ସବୁ ବନ୍ଦ ହୋଇଗଲାଣି। ବୁଧବାର କୁନ୍ଦୁରାରେ ବସୁଥିବା ହାଟରେ ଥିବା ପୁରୁଣା ଘରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଲାଣି। ସେଗୁଡ଼ିକର ନିର୍ମାଣ ପରିବର୍ତ୍ତେ ଜରିପାଲ ଦେଇ ଘୋଡ଼େଇ ରଖାଯାଇଛି। ହାଟରେ ପରିବା ବ୍ୟବସାୟୀଙ୍କୁ ବସିବାକୁ ଜାଗା ହେଉ ନ ଥିବାରୁ ସେମାନେ ରାସ୍ତାରେ ବସି ବ୍ୟବସାୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ଏନେଇ ତତ୍କାଳୀନ ପଞ୍ଚାୟତ ସମିତି ଅଧକ୍ଷ ସୁରେନ୍ଦ୍ର ପରଜା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକଙ୍କୁ ଭେଟି ହାଟର ପୁନରୁଦ୍ଧାର ଲାଗି ଦାବି କରିଥିେଲେ ମଧ୍ୟ ଏଯାଏ କିଛି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଆରଏମ୍‌ସି ସମ୍ପାଦକ ଚନ୍ଦ୍ର ସେଠିଆଙ୍କୁ ପଚାରିବାକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।