ରାଜନୀତି ମୈଦାନକୁ ଓହ୍ଲାଇବେ ପାୟଲ ଘୋଷ

ମୁମ୍ବାଇ,୨୬।୧୦: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଓକିଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ)ରେ ଯୋଗଦେବେ। ଦୀର୍ଘ ଦିନ ଧରି ଏନେଇ କଳ୍ପନାଜଳ୍ପନା ଚାଲିଥିଲା। ଏବେ ତାହା ସତ ହୋଇଛି।ତାଙ୍କୁ ଆରପିଆଇର ମହିଲା ମେର୍ଚ୍ଚାର ଉପାଧ୍ୟକ୍ଷ କରାଯିବ ବୋଲି ଜଣାପଡିଛି। ଏଥିସହ ତାଙ୍କ ଓକିଲଙ୍କୁ ଆଡଭୋକେଟ ୱିଙ୍ଗରେ ରାଜ୍ୟ ଉପାଧ୍ୟକ୍ଷ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି। ସୂଚନାଯୋଗ୍ୟ, ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ସଂପର୍କରେ ସେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେଶନରେ ମଧ୍ୟ ମାମଲା ରୁଜୁ କରିଛନ୍ତି। ତେବେ କଶ୍ୟପ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ମାମଲାରେ ପାୟଲ ଘୋଷଙ୍କୁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ତଥା ଆରପିଆଇ ସଭାପତି ରାମଦାସ ଅଠୱାଲେ ସମର୍ଥନ କରିଥିଲେ। ସେ ପାୟଲଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ, ସେ ଏବଂ ପାୟଲ ମିଶି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ମଧ୍ୟ ଭେଟି ସୁରକ୍ଷା ଏବଂ ନ୍ୟାୟ ଦାବି କରିଥିଲେ।

Share