Categories: ଜାତୀୟ

କଂଗ୍ରେସ ନେତା ପୱନ ଖେରା ଗିରଫ

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଆସାମ ପୋଲିସ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରିଛି। ଗୁରୁବାର ପୱନ ଅନ୍ୟ ଦଳୀୟ ନେତାଙ୍କ ସହ ରାୟପୁରରେ ଆୟୋଜିତ ଅଧିବେଶନରେ ଯୋଗଦେବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ ଏବଂ ରିମାଣ୍ଡରେ ଆସାମକୁ ନିଆଯିବ ବୋଲି ସୂଚନା ମିଳିଛି। ନିୟମ ଅନୁଯାୟୀ ଆସାମ ପୋଲିସର ଆବେଦନ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ଦାବି କରିଛି। କୁହାଯାଉଛି ଯେ, ପୱନ ଦିଲ୍ଲୀରୁ ରାୟପୁର ବିମାନରେ ବସିଥିଲେ। ତାଙ୍କୁ ହଠତ୍‌ ଓହ୍ଲାଇବାକୁ କୁହାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା।
ଆସାମ ପୋଲିସର ଆଇଜିପି ପ୍ରଶାନ୍ତ କୁମାର ଭୁୟାଁ କହିଛନ୍ତି, ଆସାମର ଡିମା ହସାଓ ଜିଲାର ହାଫଲଙ୍ଗ ପୋଲିସ ଷ୍ଟେଶନରେ ପୱନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଆସାମ ପୋଲିସର ତାଙ୍କୁ ଗିରଫ କରିଛି।
ଖେରାଙ୍କ ଗିରଫଦାରୀକୁ କଂଗ୍ରେସ ବିରୋଧ କରିଛି। କେରା କେଉଁ ଅପରାଧ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହା ଏକଛତ୍ରବାଦୀ ଶାସନ ନୁହେଁ ତେବେ କ’ଣ? ପୱନ ଗିରଫ ହେବା ପରେ କଂଗ୍ରେସ ନେତାମାନେ ବିମାନବନ୍ଦରରେ ଧାରଣାରେ ବସିଛନ୍ତି।

 

Share