ସାମ୍ନାକୁ ଆସିଲା ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରୁଛି ବେଶ୍‌ ଲୋକପ୍ରିୟ ସିରିୟଲ୍‌ ପବିତ୍ର ରିସ୍ତା। ପୁଣିଥରେ ମାନବ ଅର୍ଚ୍ଚନାଙ୍କୁ ଦେଖିପାରିବେ ଦର୍ଶକ। ହେଲେ ଚଳିତ ଥର ମାନବ ଭୂମିକାରେ ଅଭିନେତା ଶାହିର ଶେଖଙ୍କୁ ଦେଖିବାକୁ ମିଳିବ। ଇତିମଧ୍ୟରେ ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ସୋମବାର ସୋସିଆଲ ମିଡିଆରେ ଆଲଟ ବାଲାଜି ପକ୍ଷରୁ ଏହି ଶୋ’ର ଫାଷ୍ଟ ଲୁକ୍‌କୁ ଶେୟାର କରାଯାଇଛି। ଚଳିତ ଥର ମାନବଙ୍କ ଚରିତ୍ରରେ ଶାହିର ଶେଖ ଓ ଅର୍ଚ୍ଚନାଙ୍କ ଚରିତ୍ରରେ ଅଙ୍କିତା ଲୋଖଣ୍ଡେ ନଜର ଆସିବେ। ଫାଷ୍ଟ ଲୁକ୍‌ରେ ଏହି ଯୋଡିଙ୍କୁ ମାନବ ଅର୍ଚ୍ଚନାର ଚରିତ୍ରରେ ଦେଖିବା ପରେ ସିରିୟଲ୍‌ର ପାର୍ଟ-୧ର ସ୍ମୃତିକୁ ସତେଜ କରିଦେଇଛି।

ଶାହିରଙ୍କୁ ଦେଖିଲେ ଆଖିରେ କେବଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚେହେରା ନାଚି ଯାଉଛି। ସେହିପରି ପୂର୍ବରୁ ମାନବଙ୍କ ମା’ଙ୍କ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇପାରିଥିବା ଅଭିନେତ୍ରୀ ଉଷା ନାଡକରନୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ପବିତ୍ର ରିସ୍ତା ପାର୍ଟ-୧ରେ ଅଭିନେତା ସୁଶାନ୍ତ ସିଂହ ମୁଖ୍ୟ ଚରିତ୍ର ବା ମାନବ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ଆଜିବି ଲୋକେ ତାଙ୍କ ଅଭିନୟକୁ ଝୁରୁଛନ୍ତି। ତେବେ ଦେଖାଯାଉ ଏହି ଶୋ’ରେ ସାହିର ଓ ଅର୍ଚ୍ଚନା ଯୋଡି କେତେ ସଫଳ ହେଉଛି।

Share