ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବାଟ ଫିଟିଲା

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲା ବାରିପଦା ମୁଢିର ସ୍ବତନ୍ତ୍ର ସ୍ବାଦ ରାଜ୍ୟ ତଥା ଦେଶ ବିଦେଶରେ ପରିଚିତ। ଜିଲାର ଶତପ୍ରତିଶତ ଲୋକ ମୁଢିକୁ ପ୍ରତିଦିନ ବ୍ୟବହାର କରିଥାନ୍ତି। ମୁଢି ମାଂସର ଚାହିଦା ପାଇଁ ବାରିପଦା ମୁଢ଼ି ପ୍ରସିଦ୍ଧ। ମେଳା ମହୋତ୍ସବ,ଭୋଜି ଓ ବିବାହ ଉତ୍ସବ ଆଦିରେ ମୁଢ଼ିକୁ ଖୋଜାପଡ଼େ। ଏହାକୁ ଘରେ ଘରେ ପ୍ରସ୍ତୁତି କରାଯାଉଥିବା ବେଳେ ଗଁା ଗଣ୍ଡାରେ ମଢ଼ି ଭଜା ଫ୍ୟାକ୍ଟ୍ରି ରହିଛି। ଜିଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ମୁଢ଼ି ଫ୍ୟାକ୍ଟ୍ରି ରହିଥିବା ବେଳେ ଏଥିରେ ବହୁ ଲୋକ ନିୟୋଜିତ ହୋଇ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ତେବେ ଏହି ମୁଢ଼ିର ଜିଆଇ ଟ୍ୟାଗ୍‌ (ଭୌଗଳିକ ପରିଚୟ) ମାନ୍ୟତା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ କମିଶନଙ୍କ ପକ୍ଷରୁ ବାରିପଦା ମୁଢିର ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମୁଢ଼ି ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ ଦିନ ଧରି ବାରିପଦା ମୁଢ଼ିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବାକୁ ଜିଲାବାସୀ ଦାବି କରି ଆସୁଥିଲେ। ଏହାକୁ ନେଇ ବିଭାଗୀୟ ପତ୍ର ସଂଖ୍ୟା ୩୨୯୨/୨୪ା୮ା ୨୦୨୨ରେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଏହାର ପଞ୍ଜୀକରଣ ପାଇଁ ଆବଶ୍ୟକ ତଥ୍ୟ ମାଗିବା ସହିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ପାଇଁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର କମିଶନର ତଥା ସଚିବ ସୁରେଶ ଚନ୍ଦ୍ର ବଶିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୁଢ଼ିର ପ୍ରସ୍ତୁତି ପ୍ରଣାଳୀ, ଉପତ୍ାଦ ସୂଚନା ଫର୍ମ, ଆବେଦନକାରୀ. ସୋସାଇଟିଙ୍କ ନାମ, ଉପତ୍ାଦ ସାମଗ୍ରୀ ବିବରଣୀ, ଶ୍ରେଣୀ, ଉପତ୍ାଦନର ଭୌଗଳିକ ଏରିଆ ଓ ମାନଚିତ୍ର, ଉତ୍ପାଦନର ମୂଳ ସମ୍ବନ୍ଧୀୟ ଐତିହାସିକ ପ୍ରମାଣ,ବିଶେଷତ୍ୱ ଓ ତଦାରଖକାରୀ ଦଳ ସମ୍ପର୍କିତ ସମସ୍ତ ବିବରଣୀ ଓ ଆବେଦନର ମାଧ୍ୟମ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।