Categories: ଖେଳ

ତୃତୀୟ ଟେଷ୍ଟରୁ ପ୍ୟାଟିନସନ ଓହରିଲେ

ସିଡ୍‌ନୀ, ୫।୧(ପି.ଟି.)-ପଞ୍ଜରାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚଳିତମାସ ୭ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇନାହିଁ। ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା ହେବ ବୋଲି ଘରୋଇ କ୍ରିକେଟ ଆସୋସିଏଶନ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ପ୍ୟାଟିନସନ ୩ଟି ଉଇକେଟ ନେଇଥିଲେ। ୨୧ ଟେଷ୍ଟରୁ ୮୧ ଉଇକେଟ ନେଇ ସାରିଥିବା ପ୍ୟାଟିନସନ ପ୍ରଥମ ୨ଟି ଟେଷ୍ଟ ପାଇଁ ଚଡ଼ାନ୍ତ ଏକାଦଶରେ ନ ଥିବାବେଳେ ତୃତୀୟ ଟେଷ୍ଟରେ ମଧ୍ୟ ଖେଳିବା ସମ୍ଭାବନା ନ ଥିଲା। ଅଷ୍ଟ୍ରେଲିଆ ୪ ବୋଲର ରଣନୀତିରେ ମିଚେଲ ଷ୍ଟାର୍କ, ଜୋଶ୍‌ ହାଜେଲଉଡ୍‌, ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିୟନଙ୍କୁ ନେଇ ପଡ଼ିଆକୁ ଓହ୍ଲାଉଛି।

Share