ପଟ୍ଟା ବଣ୍ଟନ ମେଳା: ୨୭୫୩ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ ପରମ୍ବୋକ ପଟ୍ଟା ବଣ୍ଟନ ମେଳା ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସେମାନେ ପଟ୍ଟା ପ୍ରଦାନର ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ପଟ୍ଟା ନ ଥିବା ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ଅତିଥିମାନେ କହିଛନ୍ତି। ଏହି ଅବସରରେ ୧୧ଟି ରାଜସ୍ବ ସର୍କଲର ୨,୭୫୩ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ।