୩ ଭାଗରେ ବିଭକ୍ତ ହେଲା ପଟ୍ଟାଙ୍ଗି ଲ୍ୟାମ୍ପ୍‌ସ

ପଟ୍ଟାଙ୍ଗି,୭ା୨(ଡି.ଏନ.ଏ.):ଚାଷୀଙ୍କଠାରୁ ଆମଦାନୀ ହେଉଥିବା ଫସଲ ଏବଂ ସେମାନେ ଯେପରି ସୁବିଧାରେ ଋଣଠାରୁ ଆରମ୍ଭକରି ଚାଷ ପାଇଁ ଆବଶ୍ୟକ ବିଭିନ୍ନ କିସମର ଧାନ ବିହନ ଓ ସାର ସୁଲଭ ମୂଲ୍ୟରେ ସୁବିଧାରେ ପାଇପାରିବେ ସେନେଇ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରରେ ଥିବା ପୁରାତନ ଲ୍ୟାମ୍ପ୍ସକୁ ୩ ଭାଗରେ ବିଭକ୍ତ କରାଯାଇଛି।
୧୯୭୭ରେ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ଭାବେ ସ୍ଥାପିତ ହୋଇଥିବା ଏହି ଲ୍ୟାମ୍ପ୍ସ ଅଧୀନରେ ପୁକାଲି, ସମ୍ବାଇ,ଚନ୍ଦକା, କୋଟିଆ, ନୂଆଁଗା, ଦେଓପଟ୍ଟାଙ୍ଗି, ମାଳିପୁଟ, ଗାଙ୍ଗରାଜପୁର, ରାଲେଗଡ଼ା ଓ ପଟ୍ଟାଙ୍ଗି ପଞ୍ଚାୟତ ରହିଥିଲା। ଲ୍ୟାମ୍ପ୍ସ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ଯୋଗାଇଦେଉଥିଲା । ମାତ୍ର ବର୍ତ୍ତମାନ ଏହାକୁ ୩ ଭାଗରେ ବିଭକ୍ତ କରି ମାଳିପୁଟ, କୋଟିଆ ଏବଂ ପୁକାଲି ଲ୍ୟାମ୍ପ୍ସ ମାନ୍ୟତା ପ୍ରଦାନ କରାଯାଇଥିବା ପଟ୍ଟାଙ୍ଗି ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଦିଗାମ୍ବର ନାୟକ ସୂଚନା ଦେଇଛନ୍ତି। ନୂତନ ମାନ୍ୟତା ପାଇଥିବା ପୁକାଲି, ସମ୍ବାଇ ଓ ଚନ୍ଦକା ପଞ୍ଚାୟତକୁ ନେଇ ଗୋଟିଏ ଲ୍ୟାମ୍ପ୍ସ ହୋଇଥିବା ବେଳେ ମାଳିପୁଟ, ଦେଓପଟ୍ଟାଙ୍ଗି ଏବଂ କୁନ୍ଦୁଲିହାଟପଦା ପଞ୍ଚାୟତକୁ ନେଇ ଅନ୍ୟ ଏକ ଲ୍ୟାମ୍ପସ୍‌ ହୋଇଛି। କୋଟିଆ ଏବଂ ନୂଆଁଗା ପଞ୍ଚାୟତକୁ ନେଇ ଅନ୍ୟ ଗୋଟିଏ ଲ୍ୟାମ୍ପସ୍‌ ଗଠିତ ହୋଇଛି। କୋଟିଆ ଲ୍ୟାମ୍ପସ୍‌କୁ କୋରାପୁଟ ଏଆର୍‌ସିଏସ୍‌ ଲକ୍ଷ୍ମୀଧର ରାଉତ, ବସନ୍ତ ଚୌଧୁରୀ ଏବଂ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ସଭାପତି ଚିକୁଣୁ ପାଙ୍ଗୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କୋଟିଆ ସରପଞ୍ଚ ଲିୟୁ ଗେମେଲ, ନୂଆଁଗା ସରପଞ୍ଚ ସୁବାସ ଖରା ଅନ୍ୟତମ ଅତିଥି ରୂପେ ଉପସ୍ଥିତ ଥିଲେ। ଗଠିତ ୩ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ନୂତନ କର୍ମଚାରୀ ନିଯୁକ୍ତି ପର୍ଯ୍ୟନ୍ତ ପଟ୍ଟାଙ୍ଗି ଲ୍ୟାମ୍ପସ୍‌ କାର୍ଯ୍ୟାଳୟ କର୍ମଚାରୀ ଉକ୍ତ ୩ ଲ୍ୟାମ୍ପସ୍‌ ଦାୟିତ୍ୱରେ ରହିବେ ବୋଲି ପରିଚାଳନା ନିର୍ଦ୍ଦେଶକ ନାୟକ ପ୍ରକାଶ କରିଛନ୍ତି।