ପଟ୍ଟାମୁଣ୍ଡାଇ ବୋହୂଙ୍କୁ ମିଳିଲା ନର୍ମାନ ଇ ବୋର୍ଲାଗ ପୁରସ୍କାର

ପଟ୍ଟାମୁଣ୍ଡାଇ,୩୦ା୧୦(ଅକ୍ଷୟ ବିଶ୍ୱାଳ): ଓଡ଼ିଶାର ଯୁବ ବୌଜ୍ଞାନିକ ତଥା ପଟ୍ଟାମୁଣ୍ଡାଇର ବୋହୂ ଡ. ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନର୍ମାନ ଇ ବୋର୍ଲାଗ ପୁରସ୍କାର। ଡ. ସ୍ବାତୀ ପଟ୍ଟମୁଣ୍ଡାଇ ବ୍ଲକ ନସିପୁର ପଞ୍ଚାୟତ ଅନ୍ତର୍ଗତ ବଡମୂଳବସନ୍ତ ଗ୍ରାମର ପ୍ରିୟଦର୍ଶୀ ବଳଙ୍କ ସ୍ତ୍ରୀ ତଥା ସାମାଜିକ କର୍ମୀ ହୃଷୀକେଶ ବଳ ଓ ଜ୍ୟୋତ୍ସ୍ନାମୟୀଙ୍କ ପୁତ୍ରବଧୂ। ସେ ଭୁବନେଶ୍ୱର ବାସିନ୍ଦା ଲକ୍ଷ୍ମୀଧର ନାୟକ ଓ ବିଜୟାଲକ୍ଷ୍ମୀଙ୍କ କନ୍ୟା। ଡ.ସ୍ବାତୀ ଫିଲିପାଇନ୍ସ ସ୍ଥିତ ସିଜିଆରଆଇ ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଆମେରିକାର ଲୋଓ୍ବା ସହରରେ ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ୨୦୨୩ ପାଇଁ ନର୍ମାନ ଇ ବୋର୍ଲାଗ ପୁରସ୍କାର ମିଳିଛି। ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା ହୋଇଥିବା ବେଳେ ଦ୍ୱିତୀୟ ଭାରତୀୟ ଭାବେ ଏହି ଗୌରବ ହାସଲ କରିଛନ୍ତି। ତାଙ୍କୁ ପୁରସ୍କାର ବାବଦକୁ ଆମେରିକୀୟ ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପାଇଥିବା ଜଣାପଡିଛି। ଏହି ଅବସରରେ ଡ. ନାୟକ ନର୍ମାନ ଇ ବୋର୍ଲାଗ ଇଣ୍ଟରନ୍ୟାଶନାଲ ଡାଇଲଗ ସମ୍ପର୍କିତ ଆଲୋଚନାଚକ୍ରରେ ମଧ୍ୟ ଭାଗ ନେଇଥିଲେ। ସେ କୃଷିକ୍ଷେତ୍ରରେ ବ୍ୟବହୃତ ତଥା ଗ୍ରାମ୍ୟସ୍ତରରେ କରାଯାଇଥିବା ଅଭିନବ ପଦ୍ଧତିଗୁଡିକର ଆବିଷ୍କାର ଏବଂ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବାକୁ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ସେ ବିହନ ଦିଦି ଭାବେ ଦେଶ ବିଦେଶରେ ବେଶ୍‌ ପରିଚିତ। ସହଭାଗୀ ଧାନଠାରୁ ଆରମ୍ଭ କରି ୫୦୦ରୁ ଅଧିକ ଧାନ ବିହନ ଉପରେ ଗବେଷଣା କରିବା ସହ ୨୦ରୁ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରିଛନ୍ତି। ୧୦ହଜାରରୁ ଅଧିକ ପରୀକ୍ଷଣରେ ତାଙ୍କର ସମ୍ପୃକ୍ତି ରହିଆସିଛି। ଡ. ସ୍ବାତୀ ଦେଶ, ଓଡ଼ିଶା ଓ ବିଶେଷକରି ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏହି ଗୌରବ ଆଣି ଥିବାରୁ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରି ଖେଳିଯିବା ସହ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।