ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସଡକ ସୁରକ୍ଷା ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର ବୈଠକର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ। ଜିଲାରେ ଚିହ୍ନଟ ୬ ବ୍ଲକ୍‌ ସ୍ପଟ୍‌ ଲୁହାମୁଣ୍ଡା, ବଇଣ୍ଡା, କତଡା, ତୁବେ, ପଞ୍ଚମହଲା ଓ କାଲଟାକ୍ସ ଛକରେ ସାଙ୍କେତିକ ଚିହ୍ନ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ରାତି ୧୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରିବ। ତାଳଚେର ଲିଙ୍ଗରାଜ ଛକ ଠାରୁ ବହ୍ଲର ଛକ ମଧ୍ୟରେ ଗାଡି ପାର୍କିଂ କରାଯିବ ନାହିଁ। ତାଳଚେରରେ ଏକ ଟ୍ରକ ଟର୍ମିନାଲ ହେବ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲାପାଳ ବିଶ୍ୱ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।