ଦୀର୍ଘ ଦିନର ଦାବି ପରେ ମିଳିଲା ରାଜସ୍ବ ଗ୍ରାମ ମାନ୍ୟତା

କୋକସରା,୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିିଛି। ପୂର୍ବରୁ ଉକ୍ତ ଗ୍ରାମ କନ୍ଦାଗଡ ରାଜସ୍ବ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦୀର୍ଘଦିନ ହେଲା ରାଜସ୍ବ ଗ୍ରାମର ମାନ୍ୟତା ନେଇ ଦାବି ଜଣାଇ ଆସୁଥିଲେ। ତେବେ ରାଜସ୍ବ ବିଭାଗ ପକ୍ଷରୁ ପାତ୍ରବସା ଗ୍ରାମକୁ ଚଳିତ ବର୍ଷ ନୂତନ ରାଜସ୍ବ ଗ୍ରାମ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଛି।
ଗୁରୁବାର ପାତ୍ରବସା ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କୋକସରା ତହସିଲଦାର ଦେବବ୍ରତ କରାଟି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କଳାହାଣ୍ଡି ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲା ପରିଷଦ ସଭ୍ୟ ଆମପାଣି ହେମନ୍ତ ମାଝି, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନାଙ୍କୁ ଗାଁର ମହିଳା, ଯୁବତୀଯୁବକମାନେ ନାଚଗୀତ ଓ ବାଜା ବଜାଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।
ଏହି ଅବସରରେ ତହସିଲଦାର ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ବୈଠକରେ ପାତ୍ରବସା ଗ୍ରାମକୁ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମ ଘୋଷଣ କରିଥିବା ସୂଚନା ଦେଇଛନ୍ତି। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷଙ୍କୁ ଗ୍ରାମବାସୀ ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ଉପାଧ୍ୟକ୍ଷ ସପ୍ତାହ ମଧ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ୨ଟି ନଳକୂପ କରି ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜସ୍ବ ଗ୍ରାମ ଘୋଷଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପାତ୍ରବସା ଗ୍ରାମ ଯୁବକ ସଂଘର ସଭାପତି ଭୋଳାନାଥ ମାଝି, ଏକାଙ୍ଗ ଦୁର୍ଗା, ହେମନ୍ତ କୁମାର ସୁନା, କୀଚକ ଚଳାନ, ସୋନୁ ଅଗ୍ରୱାଲ, ନିତ୍ୟାନନ୍ଦ ମାଝି, ନିକୁଞ୍ଜ ସାହୁ, ରାଜେନ୍ଦ୍ର ବାଗ, ଯୁଗଳ କିଶୋର ନାଏକ, ତ୍ରିଲୋଚନ ବାଗ, ଦୁଷ୍ମନ୍ତ ବାଗ, ବେଲାଲ ନାଏକ, ଦେବାଶିଷ ନାଏକ, ନବୀନ କୁମାର ରାଉତ, ସଦାଶିବ ଗହୀର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।