ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍ଅପ୍ ଭ୍ୟାନ୍ ଅଟକାଇ ଡାଏରୀ ଫାର୍ମ ମାଲିକଙ୍କୁ ଆକ୍ରମଣ ଓ ଲୁଟ୍ କରିଥିବା ଘଟଣାରେ ପୋଲିସ ୩ ଜଣ ବୟସ୍କ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିବାବେଳେ ୪ ଜଣ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇଛି।
ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରେ ଜଗତସିଂହପୁର ଅଞ୍ଚଳର ଡାଏରୀ ଫାର୍ମ ମାଲିକ ତପନ ମଲ୍ଲିକ ଏକ ପିକ୍ଅପ୍ ଭ୍ୟାନ୍ରେ ମଇଁଷି ନେଇ ରାୟଗଡ଼ା ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଗାଡ଼ିକୁ ଜବରଦସ୍ତ ଅଟକାଇଥିଲେ। ପରେ ତପନଙ୍କୁ ଭ୍ୟାନରୁ ଘୋଷାଡ଼ି ଆଣି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ନିକଟରୁ ୪ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ।
ଏନେଇ ତପନ ପାଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପାଟପୁର ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ତ୍ରିନାଥ ଭୋଇ ସଦଳବଳେ ନାକାବନ୍ଦୀ କରି ତଲାସି ଅଭିଯାନ ଜୋରଦାର କରିଥିଲେ।
ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତ— ଧର୍ମେନ୍ଦ୍ର ଓରଫ ଧରମା ସେଠୀ, କେ. କାହ୍ନା ପାତ୍ର ଏବଂ ରୋସନ ବିଷୋୟୀଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏଥିରେ ସଂପୃକ୍ତ ଥିବା ୪ ଜଣ ନାବାଳକଙ୍କୁ ଛତ୍ରପୁରସ୍ଥିତ ଯୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ପରେ ବାଳସୁଧାର ଗୃହକୁ ପଠାଯାଇଛି।
ପୋଲିସ ଅଭିଯୁକ୍ତମାନଙ୍କଠାରୁ ଲୁଟ୍ ହୋଇଥିବା ୩୫୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍, ଆକ୍ରମଣରେ ବ୍ୟବହୃତ ୨ଟି ଠେଙ୍ଗା ସମେତ ୨ଟି ବାଇକ୍ ଏବଂ ଅଧିକ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି।