Categories: ଜାତୀୟ

ଜେଲ୍‌ରୁ ଫୋନ୍‌ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା

ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍‌ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ କରିବା ଘଟଣାରେ ତାଙ୍କ ବିରୋଧରେ ପାଟନାରେ ଏତଲା ରୁଜୁ କରାଯାଇଛି। ଆଉ ଏହି ଏତଲା ନିଜେ ଲଲନ ପାସୱାନ ଦେଇଥିବା ଜଣାପଡ଼ିଛି। ସେ ଲାଲୁଙ୍କ ଉପରେ ଦୁର୍ନିତୀ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦୀଙ୍କ ଅଭିଯୋଗ ପରେ ବିହାର ରାଜନୀତିରେ ଉତ୍ତେଜନା ତୀବ୍ର ହୋଇଥିଲା। ଲାଲୁ ଯାଦବ ୧ କେଲି ବଙ୍ଗଳାରୁ ଏନ୍‌ଡିଏ ବିଧାୟକଙ୍କୁ ପ୍ରଲୋଭିତ କରୁଛନ୍ତି ଏବଂ ନୀତୀଶ ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ସୁଶୀଲ ଅଭିଯୋଗ କରିଥିଲେ। ଲାଲୁ ଓ ଲଲନଙ୍କ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଭାଜପା ଜାରି କରିଛି। ଅପରପକ୍ଷେ ଚାରା ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ଏବେ ରିମ୍ସର ପ୍ରାଇଭେଟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ଏପର୍ଯ୍ୟନ୍ତ ଲାଲୁ ୧ କେଲି ବଙ୍ଗଳାରେ ରହୁଥିଲେ। ଏହା ପୂର୍ବରୁ ଲାଲୁ ଜେଲରେ ଦଣ୍ଡ ଭୋଗିବା ପରିବର୍ତ୍ତେ ବଙ୍ଗଳାରେ ଆରାମରେ ଜୀବନ ବିତାଉଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା।

Share