ପାଟଣା,୧୪ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିପୂର୍ଣ୍ଣ ଭାଷଣ ପରେ ଏବେ ଭୋଟ ଅଙ୍କକଷା ଜୋରଦାର ହୋଇଛି । ବୁଧବାର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମକୁ ବଜେନ୍ଦ୍ର କୁମାର ପତି ପରିଚାଳନା କରିଥିଲେ । ନିର୍ବାଚନ ଅଧିକାରୀ ହଳଧର ସାହୁ ଓ ସହଯୋଗୀ ଅଧିକାରୀ ଡ. ହୃଦାନନ୍ଦ ବିଶ୍ୱାଳ ଉପସ୍ଥିତ ଥିଲେ।
ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ପୁଣ୍ୟବନ୍ତ ପ୍ରଧାନ ସ୍ୱଚ୍ଛ କ୍ୟାମ୍ପସ, ପାଠାଗାର, ପାନୀୟ ଜଳ ଓ ରାଗିଂମୁକ୍ତ ପରିବେଶ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଜେଡି ସମର୍ଥିତ ପ୍ରାର୍ଥୀ ଶୁଭମ କୁମାର ମହାନ୍ତ ଖାଲି ଅଧ୍ୟାପକ ପଦ ପୂରଣ, କ୍ୟାଣ୍ଟିନ ଓ କମନ୍ ରୁମ୍ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଶାଲୋନି ତ୍ରିପାଠୀ ଦଳୀୟ ସମର୍ଥନ ବିନା ମଧ୍ୟ କଲେଜର ବିକାଶ ସମ୍ଭବ ବୋଲି କହିଥିଲେ । ସେହିପରି ବିଜେଡି ସମର୍ଥିତ ସମ୍ପାଦକ ପ୍ରାର୍ଥୀ ଅଙ୍କିତା ବାରିକ କ୍ୟାମ୍ପସରେ ପାନ ଓ ଗୁଟ୍ଖା ବନ୍ଦ ସହ କ୍ୟାଣ୍ଟିନ ଓ ଚିକିତ୍ସା ସୁବିଧା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ଏବିଭିପି ସମର୍ଥିତ ସମ୍ପାଦକ ପ୍ରାର୍ଥୀ ଆକାଶ ପାତ୍ର ଅଧ୍ୟାପକ ଅଭାବ ସମେତ କଲେଜର ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଭୟ ଦଳ ପକ୍ଷରୁ କଲେଜ ବାହାରେ ବିରିୟାନି, ଆଇସ୍କ୍ରିମ୍, ଆଳୁଦମ୍, ଦହିବରା ଓ ଗୁପ୍ଚୁପ୍ର ବ୍ୟବସ୍ଥା କରାଯାଇଥିଲା। ଉଭୟ ଶିବିରରେ ସମ୍ଭାବ୍ୟ ଭୋଟକୁ ନେଇ ଅଙ୍କକଷା ଚାଲିଛି।