ପାଟଖଣ୍ଡା ଯାତ୍ରା ସମ୍ପନ୍ନ: ମାନସିକଧାରୀ ପକାଇଲେ ବଳି

କର୍ଲାମୁଣ୍ଡା:୧୯।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ତେରେସିଂହାଠାରେ ଚାଲିଥିବା ମା’ ପାଟଖଣ୍ଡାଙ୍କ ଯାତ୍ରା ଗୁରୁବାର ସମ୍ପନ୍ନ ହୋଇଯାଇଛି। ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ମାନସିକ କରିଥିବା ଭକ୍ତମାନେ ବୋଦା, କୁକୁଡ଼ା ବଳି ପକାଇଥିଲେ। ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ୱରେ ବେଲପଡ଼ାର ଯାତ୍ରା ହୋଇଥାଏ। ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର୍‌ ଦେହେଲିଆ ଭାବେ ରହିଥାନ୍ତି। ଯାତ୍ରାର ୮ ଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତି ଦିନ ସନ୍ଧ୍ୟାରେ ମା’ଙ୍କ ପୂଜା ହୋଇଥାଏ l ଯାତ୍ରାର ଏକ ଲୋକ ବିଶ୍ୱାସ ଆଜିବି ରହିଆସିଛି। ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା,ସନାତନ ନାଏକ, ଧର୍ମ ରଣା, ଲତାବନ ରଣା, ଦୈତାରି ନାଏକ, ଜଗବନ୍ଧୁ ଭୋଇ, ଗୋପାଳ ବାଗ ପ୍ରମୁଖଙ୍କ ସମେତ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।