୨୪୫୧ ବେଡ୍‌ ବିଏମ୍‌ସିକୁ ନିଅଣ୍ଟ: ଘରେ ଚିକିତ୍ସିତ ହେବେ ଲକ୍ଷଣ ନ ଥିବା ରୋଗୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହେବେ ବୋଲି ବିଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଲକ୍ଷଣ ନ ଥିବା କିମ୍ବା ଅଳ୍ପ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଏଥିପାଇଁ ତାଙ୍କ ପରିବାର ବିଏମ୍‌ସି ସହ ଚୁକ୍ତିପତ୍ର କରିବେ। ଭୁବନେଶ୍ୱରରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ଫେରନ୍ତାମାନେ ବିଏମ୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ ନ ପାଳିବାରୁ ସଂକ୍ରମଣ ବଢୁଥିବା ବିଏମ୍‌ସି ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କହୁଛନ୍ତି। ଅନ୍ୟପକ୍ଷରେ ଘରେ ରହି କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ବିଏମ୍‌ସି ଦେଇଥିବା ନିର୍ଦ୍ଦେଶ ସହରବାସୀଙ୍କୁ ବ୍ୟଥିତ ଓ ଭୟଭୀତ କରିଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଭୁବନେଶ୍ୱରରେ ୨ଟି କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ମୋଟ ୧୦୨୫ ବେଡ୍‌ ରହିଛି। ଏହାବ୍ୟତୀତ ରାଜ୍ୟ ସରକାର ଶନିବାର ହାଇଟେକ୍‌ ମେଡିକାଲରେ ଆଉ ୫୦୦ ବେଡ୍‌, ସମ୍‌ ହସ୍ପିଟାଲ ଓ ମେଡିକାଲ କଲେଜର ଦୁଇଟି ସ୍ଥାନରେ ୮୦୦ ବେଡ୍‌, ନୀଳାଞ୍ଚଳ ଡିସିଏଚ୍‌ରେ ୧୨୬ ବେଡ୍‌ ଓ ୧୫ଟି ଆଇସିୟୁ ବେଡ୍‌ ସ୍ଥାପନ ପାଇଁ ଘୋଷଣା କରିଛନ୍ତି। ନୀଳାଞ୍ଚଳରେ ପୂର୍ବରୁ ୭୦ଟି ଆଇସିୟୁ ବେଡ୍‌ ଥିବାବେଳେ ବର୍ତ୍ତମାନର ଘୋଷଣା ପରେ ଏହି ସଂଖ୍ୟା ୮୫କୁ ବୃଦ୍ଧି ପାଇବ। ଏତେ ବେଡ୍‌ ଥାଇ ମଧ୍ୟ ବିଏମ୍‌ସି କୋଭିଡ୍‌ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପାଇଁ ନିର୍ଦ୍ଦେଶନାମା ଦେବା ପଛରେ କି ରହସ୍ୟ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନୂଆ ଏସ୍‌ଓପି କ’ଣ ?
ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତଙ୍କ ଘରେ ସଙ୍ଗରୋଧ ବ୍ୟବସ୍ଥା ଥିଲେ ସେ ଘରେ ରହି ଚିକିତ୍ସିତ ହୋଇପାରିବେ। ବସ୍ତି ଅଞ୍ଚଳରେ ଏହା ଲାଗୁ ହେବନି। ୬୦ ବର୍ଷରୁ ଅଧିକ ବୟସ୍କ, ଏକାଧିକ ରୋଗ ଥିବା ଆକ୍ରାନ୍ତ, କର୍କଟ, ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବନି। ଲକ୍ଷଣ ନ ଥାଇ କିମ୍ବା ଅଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ଡାକ୍ତରୀ ପ୍ରମାଣପତ୍ର ଓ ୨୪ ଘଣ୍ଟା ସେବା ଦେବା ଭଳି ଜଣେ ସେବା ପ୍ରଦାନକାରୀ ରଖିଥିଲେ, ବିଏମ୍‌ସି ଅଣ୍ଡରଟେକିଂ ନେଇ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେଲେ, ବିଏମ୍‌ସିକୁ ଜଣାଇ ତାଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ।