ଭେଣ୍ଟିଲେଟର ଅଭାବରୁ ରୋଗୀ ମରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର ୨୨।୯(ବ୍ୟୁରୋ):ରାଜ୍ୟରେ ଦୈନିକ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଦୈନିକ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ କେରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭ଶହ ଟପିଲାଣି। ଭେଣ୍ଟିଲେଟର ଅଭାବରୁ ପ୍ରତ୍ୟେକ ଦିନ ରୋଗୀ ମରୁଛନ୍ତି। ଏଭଳି ସ୍ଥଳେ କାହିଁକି ଏବଂ କାହା ସ୍ବାର୍ଥରେ ରାଜ୍ୟ ସରକାର ୪୨୦ ଭେଣ୍ଟିଲେଟର ଇନଷ୍ଟାଲେଶନ ନ କରି ଚାପି ରଖିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, କଂଗ୍ରେସ ରାଜ୍ୟସଭା ଏମ୍‌ପି ରାଜୀବ ଶତାବ ପାର୍ଲାମେଣ୍ଟରେ ଗତ ୧୫ ତାରିଖରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଚୌବେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶର ୭ ରାଜ୍ୟକୁ ହାଇ ଫୋକସ୍‌ ମାନ୍ୟତା ଦିଆଯାଇଛି। ସେହି ତାଲିକାରେ ଓଡିଶା ଅଛି। କୋଭିଡ୍‌-୧୯ ମୁକାବିଲା ପାଇଁ କେଉଁ ରାଜ୍ୟକୁ କେତେ ମାସ୍କ, ପିପିଇ କିଟ୍‌ ଏବଂ ଲାଇଫ୍‌ ସେଭିଂ ଭେଣ୍ଟିଲେଟର ଦିଆଯାଇଛି ତାହାର ତାଲିକା ପ୍ରକାଶ କରିଥିଲେ। ତାଙ୍କ ତଥ୍ୟ ମୁତାବକ ଓଡିଶାକୁ ମୋଟ ୫୬୭ ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ହେଲେ ରାଜ୍ୟ ସରକାର ମାତ୍ର ୧୪୭ ଭେଣ୍ଟିଲେଟର ଇଷ୍ଟାଲେଶନ୍‌ କରିଛନ୍ତି। ସାଧାରଣରେ କିଛି ମାସ୍କ ବାଣ୍ଟିନାହାନ୍ତି, ଭେଣ୍ଟିଲେଟର ଅଭାବରୁ ଲୋକେ ମରୁଥିବା ବେଳେ କାହା ସ୍ବାର୍ଥରେ ଏବଂ କେଉଁ ମହତ ଉଦ୍ଦ୍ୟେଶରେ ୪୨୦ ଭେଣ୍ଟିଲେଟରକୁ ସରକାର ଧରି ବସିଛନ୍ତି ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ୫୬୭ ଭେଣ୍ଟିଲେଟର ରାଜ୍ୟକୁ ନ ଦେଇ ଗୃହରେ ଓଡିଶା ସମ୍ପର୍କରେ ଯଦି ଭୁଲ୍‌ ତଥ୍ୟ ଦେଇଛି ତେବେ ରାଜ୍ୟ ସରକାର ସେନେଇ ସ୍ପଷ୍ଟ କରନ୍ତୁ। ନଚେତ୍‌ କ’ଣ ପାଇଁ ୪୨୦ ଭେଣ୍ଟିଲେଟର ଇନ୍‌ଷ୍ଟଲ କରୁନାହାନ୍ତି, ତାହା ସ୍ପଷ୍ଟ କରନ୍ତୁ। ଏହାସହ ତୁରନ୍ତ ବାକି ଭେଣ୍ଟିଲେଟରକୁ ଇନ୍‌ଷ୍ଟଲ କରନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି।