ଟ୍ରାକ୍ଟରରେ ବୁହାହେଲେ ରୋଗୀ

ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ ଅଟକି ରହିବାରୁ ରୋଗାକ୍ରାନ୍ତ ନୀରବତୀ ବେହେରାଙ୍କୁ ଟ୍ରାକ୍ଟର ଯୋଗେ ପ୍ରାୟ ୧ କିଲୋମିଟର ଯିବାକୁ ପଡିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ନୀରବତୀ ଶନିବାର ରାତିରେ ଜ୍ୱର ଓ ଝାଡାବାନ୍ତି ଯୋଗୁ ଗୁରୁତର ହୋଇ ପଡ଼ିଥିଲେ। ସକାଳେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲେ ହେଁ ରାସ୍ତା କାଦୁଅ ଥିବାରୁ ଘରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିଲା। ଫଳରେ ରୋଗୀଙ୍କୁ ଟ୍ରାକ୍ଟର ଟ୍ରଲିରେ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ନୀରବତୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ଜିଲା ଓ ବ୍ଲକ ପ୍ରଶାସନ ତଥା ସ୍ଥାନୀୟ ନେତୃବୃନ୍ଦଙ୍କ ଅବହେଳାକୁ ଦାୟୀ କରାଯାଇଛି। ଏ ସମ୍ପର୍କରେ ମାନେଶ୍ୱର ବିଡ଼ିଓ ନୀଳାମ୍ବର ମହାନନ୍ଦ କହିଛନ୍ତି ଯେ, ଉକ୍ତ ଗ୍ରାମକୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ହେଲେ ରୟତି ଜମି ଥିବାରୁ କେତେକ ସ୍ଥାନରେ ରାସ୍ତା ନିର୍ମାଣ ଛାଡ଼ି ଦିଆଯାଇଛି। ଫଳରେ ଏଭଳି ସମସ୍ୟା ଉପୁଜିଛି।