ରୋଗୀ ଲହୁଲୁହାଣ

ଦିଗପହଣ୍ଡି,୧୭।୧୦(ସଞ୍ଜୀବ କୁମାର ପାତ୍ର) ୫୭ ବର୍ଷିୟ ବ୍ୟକ୍ତିଙ୍କୁ କେହି ଜଣେ ଅଜଣା ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଆକ୍ରମଣରେ ତାଙ୍କର ମୁଣ୍ଡର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷକ୍ତ ହୋଇଯାଇଛି। ଗୁରୁତର ଜଣକ ହେଲେ କଇଠଡା ପଞ୍ଚାୟତ ଅନ୍ତର୍ଗତ
ବିରଲକ୍ଷ୍ମୀ ନାରାୟଣପୁର ଗ୍ରାମର ବିପ୍ର ଚରଣ ପଣ୍ଡା ବୋଲି ଜଣାପଡିଛି। ବିପ୍ର ଚରଣ ଜଣେ ପକ୍ଷାଘାତ ରୋଗୀ। ମଙ୍ଗଳବାର ପୂର୍ବାହ୍ନ ସମୟରେ ସେ ଚାଲି ଚାଲି ନିଜ ଗ୍ରାମରୁ କଲ୍ୟାଣପୁର ତୋଟା ଅଭିମୁଖେ ଯାଉଥିବା ବେଳେ ପଛପଟୁ ଜଣେ ଅଜଣା ଦୁର୍ବୁତ୍ତ ତାଙ୍କ ନାକକୁ ଶକ୍ତ ମୁଥ ମାରିବାରୁ ତାଙ୍କ ନାକପଟୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ତାଙ୍କ ମୁହଁର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲା। ସ୍ପଷ୍ଟ ଦିବାଲୋକରେ
ଏହି ଘଟଣା ଘଟିଥିଲେ ମଧ୍ୟ କୌଣସି ବ୍ୟକ୍ତି ପ୍ରତିବାଦ କରିବା ପାଇଁ ସାହାସ କରି ପାରି ନ ଥିଲେ। ବିପ୍ର ଗୁରୁତର ହୋଇଯିବା ପରେ ଆକ୍ରମଣକାରୀ କୌଶଳକ୍ରମେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।

ଏହି ଘଟଣା ପରିବାର ଲୋକ ଜାଣିବା ପରେ ଘଟଣା ସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କେଉଁ କାରଣକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଭଳି ଆକ୍ରମଣ କରାଗଲା ଖବର ଲେଖାହେବା ସୁଦ୍ଧା ସେ ସମ୍ପର୍କରେ ସ୍ପଷ୍ଟ ସୁଚନା ମିଳିପାରିନାହଁି। ଏନେଇ ବିପ୍ରଙ୍କ ପୁଅ ସନ୍ତୋଷ ପଣ୍ଡା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଆଇ.ଆଇ.ସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଖବର ପାଇ ପୂର୍ବତନ ସରପଞ୍ଚ ଭୀମସେନ ସାହୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ବିପ୍ରଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ସହ ଏହି ଘଟଣା ପଛରେ କଣ ରହସ୍ୟ ରହିଛି ତାହା ଅନୁଧ୍ୟାନ କରିଛନ୍ତି।