ମୋବାଇଲ ଲାଇଟ୍‌ରେ ରୋଗୀସେବା

ବାରିପଦା ଅଫିସ,୧୮।୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ୍‌) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ଅପରାହ୍ନ ଗୋଟାଏ ବେଳେ ବିଦ୍ୟୁତ୍‌ ସରବରାହ ବ୍ୟାହତ ଯୋଗୁ ଟର୍ଚ୍ଚ ଲାଇଟ୍‌ରେ ରୋଗୀସେବା କରାଯାଉଥିବା ଦେଖିବାକୁ ମିଳିଛି। ହସ୍ପିଟାଲ ନର୍ସମାନେ ମୋବାଇଲ ଲାଇଟ୍‌ରେ ରୋଗୀଙ୍କୁ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇଥିଲେ। ଅସହ୍ୟ ଗୁଳୁଗୁଳି ଓ ମଶା କାମୁଡ଼ାରେ ରୋଗୀ ଅତିଷ୍ଠ ହୋଇ ୱାର୍ଡ ବାହାରେ ବସି ରହିଥିବା ଦେଖିବାକୁ ମିଳିଥିଲା।
ଦୁଇ ଘଣ୍ଟା ଧରି ବର୍ଷା ଲାଗି ରହିବା ଦ୍ବାରା ମେଡିକାଲରେ ରୋଗୀମାନେ ଅନ୍ଧାର ଭିତରେ ରହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି ସରବରାହ ସ୍ବାଭାବିକ ନ ହେବାରୁ ମେଡିକାଲ କଲେଜର ଅଧିକାଂଶ ଚର୍ମ ଓ ମେଡିସିନ ଆଦି ବିଭିନ୍ନ ୱାର୍ଡ ଅନ୍ଧାରରେ ରହିଥିଲା। ଅନ୍ଧାର ମଧ୍ୟରେ ମୋବାଇଲ ଲାଇଟରେ ସ୍ବାସ୍ଥ୍ୟ କର୍ମଚାରୀ ରୋଗୀସେବା ଜାରି ରଖିଥିଲେ। ବାରମ୍ବାର ହସ୍ପିଟାଲରେ ଏପରି ସମସ୍ୟା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ରୋଗୀ ସ୍ବରୂପ ବାରିକ, ରୋଗୀଙ୍କ ସମ୍ପର୍କୀୟ ଛବିରାଣୀ ପଣ୍ଡା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜର ବିନୋଦିନୀ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିଲେ।