କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ଯାଜପୁର ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସ ।
ଅଭିଯୋଗ ଅନୁସାରେ, ଶ୍ରୀକାନ୍ତ ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ସ୍ୱାମୀଙ୍କୁ ୱାର୍ଡରେ କିଛି କର୍ମଚାରୀ ପ୍ଲାଷ୍ଟିକ ପାଇପରେ ପିଟିଥିବା ଦେଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଏହି ଘଟଣାରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେଲାପରେ ଘଟଣାର ଅନେକ ଦିଗ ଉପରୁ ପରଦା ଉଠି ପାରିବ ।
ଅନ୍ୟପଟେ ଏସସିବି ଅଧିକ୍ଷକଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଘଟଣାକୁ ଦୀର୍ଘ ଘଣ୍ଟା ବିତିଯାଇଥିଲେ ବି ଘଟଣା ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅବଗତ ନାହିଁ ବୋଲି କହିଛନ୍ତି । ଘଟଣା ଦୁଃଖଦାୟକ କହିବା ସହ ପୋଲିସକୁ ତଦନ୍ତରେ ସହଯୋଗ କରାଯିବ ବୋଲି SCB ଅଧିକ୍ଷକ କହିଛନ୍ତି । ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।