Categories: ଖେଳ

ପଟିଦାର ଆଇପିଏଲ୍‌ରୁ ବାହାର

ବେଙ୍ଗାଲୁରୁ, ୫ା୪ (ପି.ଟି.): ଗୋଇଠିରେ ଇଞ୍ଜୁରି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟପ୍‌ ଅର୍ଡର ବ୍ୟାଟର ରଜତ ପଟିଦାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନରୁ ବାଦ୍‌ ପଡ଼ିଛନ୍ତି। ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଏହି ୨୯ ବର୍ଷୀୟ କ୍ରିକେଟର ଗତବର୍ଷ ଆରସିବିର ତୃତୀୟ ସର୍ବୋଚ୍ଚ ସ୍କୋରର ଥିଲେ। ସେ ୫୫.୫୦ ଆଭରେଜରେ ୮ଟି ମ୍ୟାଚ ଖେଳି ୩୩୩ ରନ ସଂଗ୍ରହ କରିଥିଲେ। ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଜଣେ ଭାରତୀୟ ଭାବେ ଆଇପିଏଲ୍‌ କ୍ୱାଲିଫାୟର-୧ରେ ସେ ଦ୍ରୁତତମ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମେ କୁହାଯାଉଥିଲା, ପଟିଦାର ଇଞ୍ଜୁରି ମୁକ୍ତ ହୋଇ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଉପଲବ୍ଧ ହେବେ। ମାତ୍ର ସେ ଆଇପିଏଲ୍‌ର ଏହି ସିଜନରେ ଆଦୌ ଖେଳିପାରିବେ ନାହିଁ ବୋଲି ମଙ୍ଗଳବାର ସ୍ପଷ୍ଟ ହୋଇଛି। ଆର୍‌ସିବିର ଅନ୍ୟତମ ଖେଳାଳି ଜୋସ୍‌ ହାଜେଲଉଡ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଗତବର୍ଷ ସେ ଦଳର ସବୁଠାରୁ ସଫଳ ବୋଲର ଥିଲେ। ୧୨ଟି ମ୍ୟାଚରେ ସେ ୨୦ ଉଇକେଟ ଅକ୍ତିଆର କରିଥିଲେ। ତେବେ ସେ ଏପ୍ରିଲ ଚତୁର୍ଥ ସପ୍ତାହ ବେଳକୁ ଠିକ୍‌ ହୋଇଯାଇଥିବେ ବୋଲି କୁହାଯାଉଛି। ଆରସିବିର ଇଂଲଣ୍ଡ ପେସ୍‌ ବୋଲର ରିସି ଟପ୍‌ଲେ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳର ୮ଉଇକେଟ ବିଜୟ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି।

 

Share