୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅ

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ରାଜ୍ୟ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ଠକେଇ ର଼୍ୟାକେଟ୍‌ର ଗୁମର ଖୋଲିବ ଭିଜିଲାନ୍ସ। ପାଠକ ବାପପୁଅଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ଭିଜିଲାନ୍ସ ଏସ୍‌ଆଇଟି ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି। ଏଥିପାଇଁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବୁଧବାର ଆବେଦନ କରାଯାଇଥିଲା। ତେବେ କୋର୍ଟ ଅନୁମତି ଦେଇଛନ୍ତି। ଅଭୟକାନ୍ତ କିପରି ଓ କେଉଁଠୁ ଏପରି ବହୁ କୋଟିର ବେଆଇନ ସମ୍ପତ୍ତି ଠୁଳ କରୁଥିଲେ। ଏହା ପଛରେ କେଉଁମାନଙ୍କର ହାତ ରହିଛି। ଏହି ସମ୍ପତ୍ତିକୁ ସୁରକ୍ଷା ଦେଇ କେଉଁମାନେ ଭାଗ ପାଇଛନ୍ତି ଓ ଠକେଇ ଅଭିଯୋଗ ନେଇ ଦୃଢ଼ ତଥ୍ୟ ସହ ପ୍ରମାଣ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି ଏସ୍‌ଆଇଟି।
ଅନ୍ୟପକ୍ଷରେ ବେଆଇନ ସମ୍ପତ୍ତି ଓ ଅର୍ଥ କାରବାରର ତଦନ୍ତ ପାଇଁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗକୁ ଚିଠି ଲେଖିଛି ଭିଜିଲାନ୍ସ। ୧୪ କୋଟି ୭୭ ଲକ୍ଷ ଟଙ୍କାର ଟିକସ ପଇଠ ହୋଇ ନ ଥିବା ଜଣାପଡିଥିବାରୁ ଆୟକର ବିଭାଗ ଏହାର ଖୋଳତାଡ଼ କରିବ। ସେହିପରି ବିଭିନ୍ନ ବେନାମୀ ଲୋକଙ୍କ ନାମରେ ପାଠକ ବେଆଇନ ସମ୍ପତ୍ତି ଠୁଳ କରିଥିବାରୁ ଏହାର ତଦନ୍ତ କରିବ ଇଡି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ରେ ଅଭୟ ଓ ପୁଅ ଆକାଶ ଗିରଫ ହେବା ପରେ ଭୁବନେଶ୍ୱରର ସ୍ପେଶାଲ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେମାନେ ଏବେ ଝାରପଡ଼ା ଜେଲରେ ରହିଥିବାବେଳେ ଆସନ୍ତା ଡିସେମ୍ବର ୯ ପର୍ଯ୍ୟନ୍ତ ସେମାନେ ସେଠାରେ ରହିବେ।