କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ ଫ୍ଲାଏ ଓଭର୍ ବ୍ରିଜ ନିର୍ମାଣ ପାଇଁ ୬୮ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାୟୀ ବାସିନ୍ଦାଙ୍କଠାରୁ ୧୩ ଏକର ଜମି ଅଧିଗ୍ରହଣ ଶେଷ ହୋଇଯାଇଛି। ଜମି ହରାଇଥିବା ପ୍ରାୟ ୮୦ଟି ପରିବାରଙ୍କୁ ଘର ଭାଙ୍ଗିବା ପାଇଁ କେସିଙ୍ଗା ତହସିଲଦାରଙ୍କ ସମେତ ପୋଲିସ ଦଳ ଯାଇ ପାଷ୍ଟିକୁଡି ଗ୍ରାମରେ ପହଞ୍ଚିଥିଲେ। ହିତାଧିକାରୀଙ୍କୁ ୭ଦିନ ମଧ୍ୟରେ ଘର ଭାଙ୍ଗି ଜମି ଛାଡିବାକୁ କହିବାରୁ ପ୍ରଶାସନ ଓ ସ୍ଥାୟୀ ବାସିନ୍ଦାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ବ୍ରିଜ କାମ ଆରମ୍ଭ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ଭୟଭୀତ କରାଉଛନ୍ତି।
ଗତ ଗୁରବାର କେସିଙ୍ଗା ତହସିଲ ଅଫିସର ଅତିରିକ୍ତ ତହସିଲଦାର, ଜାତୀୟ ରାଜ ପଥ କେସିଙ୍ଗା, ଠିକା ଏଜେନ୍ସି ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନ, ଭବାନୀପାଟଣା ସଦର ପୁଲିସ ଉପସ୍ଥିତରେ ଘର ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ। ଏହି ଖବର ସୋସିଆଲ ମିଡ଼ିଆରେ ଦେଖି ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ପାଷ୍ଟିକୁଡ଼ି ଗ୍ରାମକୁ ପରିଦର୍ଶନ କରି ଜାତୀୟ ରାଜପଥ ୨୬ ଉପରେ ଲୋକଙ୍କ ସହ ଆଲୋଚନା କରି ୬ମାସ ସମୟ ପ୍ରଶାସନକୁ ମାଗିବା ପାଇଁ କହିଥିଲେ। ପାଷ୍ଟିକୁଡ଼ି ଗ୍ରାମର ଚାରିଛକର ଉଭୟ ପାର୍ଶରେ ଅଭର ବ୍ରିଜ
ନିର୍ମାଣ ପାଇଁ ୧୩ ଏକର ଜମି ଅଧିଗ୍ରହଣ କରାଯାଇଛି। ଗତ ମେ ୩୦ ତାରିଖ ଦିନ ଜମି ହରାଇଥିବା ପ୍ରାୟ ଲୋକଙ୍କୁ ତାଙ୍କ ଟଙ୍କା ମିଳିଥିବାବେଳେ ଆଉ କିଛି ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ। ଗତ ମେ ୧୦ ତାରିଖ ଦିନ ପାଷ୍ଟିକୁଡ଼ି ଛକରେ ଏକ ନୋଟିସ ଲଗାଇ ୭ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜମି ହରାଉଥିବା ପ୍ରାୟ ୮୦ଟି ପରିବାରଙ୍କ ସହିତ ଦୋକାନୀମାନେ ମଧ୍ୟ ଦୋକାନ ବଜାର ବନ୍ଦ କରି ବିରୋଧ କରିଥିଲେ। ପାଷ୍ଟିକୁଡ଼ି ଗ୍ରାମକୁ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ପହଞ୍ଚି ଅଞ୍ଚଳବାସୀଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଓ ଏନଏଚ ଏସଡିଓ ସୂର୍ଯ୍ୟ ଛତ୍ରିଆଙ୍କ ସହିତ ଆଲୋଚନା କରି ଲୋକଙ୍କୁ ୬ ମାସ ସମୟ ଦିଆଯାଉ ବୋଲି ଦାବି କହିଥିବା ଜଣାପଡ଼ିଛି।