ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଭେମିରେଡ୍ଡି ପ୍ରଭାକର ରେଡ୍ଡିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି।
ରେଡ୍ଡି ପଚାରିଥିଲେ ଯେ ବିମାନବନ୍ଦରରେ ଥିବା ନିୟମ ଭଳି ଟ୍ରେନ ଯାତ୍ରୀମାନଙ୍କ ପାଇଁ ସାମଗ୍ରୀ ନିୟମ ଲାଗୁ କରାଯିବ କି ନାହିଁ। ଏହାର ଉତ୍ତରରେ ବୈଷ୍ଣବ କହିଛନ୍ତି, ‘ବର୍ତ୍ତମାନ ଯାତ୍ରୀମାନେ ବଗି ଭିତରେ ସାମଗ୍ରୀ ନେବାର ଶ୍ରେଣୀଭିତ୍ତିକ ଅଧିକତମ ସୀମା ନିର୍ଦ୍ଧାରିତ ହୋଇଛି।“ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ୩୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ନିଃଶୁଳ୍କ ନେଇପାରିବେ ଏବଂ ଶୁଳ୍କ ଦେଇ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ନେଇପାରିବେ।
ଯାତ୍ରୀମାନେ କେତେ ସାମଗ୍ରୀ ନେଇପାରିବେ
ସ୍ଲିପର ଶ୍ରେଣୀ: ୪୦ କିଗ୍ରା ନିଃଶୁଳ୍କ, ଅଧିକତମ ସୀମା ୮୦ କିଗ୍ରା।
ଏସି ଥ୍ରୀ ଟିୟର: ୪୦ କିଗ୍ରା ନିଃଶୁଳ୍କ ଏବଂ ଏହା ହିଁ ଅଧିକତମ ସୀମା।
ପ୍ରଥମ ଶ୍ରେଣୀ ଏବଂ ଏସି ଟୁ ଟିୟର: ୫୦ କିଗ୍ରା ନିଃଶୁଳ୍କ, ଅଧିକତମ ସୀମା ୧୦୦ କିଗ୍ରା।
ଏସି ପ୍ରଥମ ଶ୍ରେଣୀ: ୭୦ କିଗ୍ରା ନିଃଶୁଳ୍କ, ଶୁଳ୍କ ଦେଇ ୧୫୦ କିଗ୍ରା ପର୍ଯ୍ୟନ୍ତ।
ମନ୍ତ୍ରୀଙ୍କ ଅନୁଯାୟୀ, ୧୦୦ ସେଣ୍ଟିମିଟର ଲମ୍ବ, ୬୦ ସେମି ଚଉଡ଼ା ଏବଂ ୨୫ ସେମି ଉଚ୍ଚତା ପର୍ଯ୍ୟନ୍ତର ଟ୍ରଙ୍କ, ସୁଟକେସ ବା ବାକ୍ସକୁ ବ୍ୟକ୍ତିଗତ ସାମଗ୍ରୀ ଭାବେ ଯାତ୍ରୀ ବଗିରେ ନେଇପାରିବେ। ଯଦି ଏହାର ବାହ୍ୟ ମାପ କୌଣସି ଭାବେ ଅଧିକ ହୋଇଥାଏ, ତେବେ ସେହି ସାମଗ୍ରୀକୁ ଯାତ୍ରୀ ବଗିରେ ନୁହେଁ, ବ୍ରେକଭ୍ୟାନ (ଏସ୍ଏଲ୍ଆର୍)/ପାର୍ସଲ ଭ୍ୟାନରେ ବୁକ କରି ନେବାକୁ ପଡ଼ିବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ୟକ୍ତିଗତ ସାମଗ୍ରୀ ଭାବେ ବାଣିଜ୍ୟିକ ସାମଗ୍ରୀର ବୁକିଂ ଏବଂ ପରିବହନକୁ ଅନୁମତି ନାହିଁ।ଏହି ନିୟମ ପୂର୍ବରୁ ଥିବା ହେଲେ ମଧ୍ୟ ସଂସଦରେ ଏହାର ସ୍ପଷ୍ଟୀକରଣ ପରେ ଯାତ୍ରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।
Dharitri – Odisha’s No.1 Odia Daily