ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ ଖୋଲାମେଲାରେ ଯାତ୍ରୀମାନେ ଯାତାୟାତ କରୁଛନ୍ତି। ଏନେଇ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ସିକପାଟା ଗ୍ରାମର ଶିକ୍ଷିତ ଯୁବ ସମାଜସେବୀ ଅକ୍ଷୟ ପରିଛା ରାଜ୍ୟ ସରକାରଙ୍କୁ ଅଭିଯୋଗ ଜଣାଇଛନ୍ତି। ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନଲାଇନ ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବ୍ରହ୍ମପୁର-ବାଲିଗୁଡ଼ା ସରକାରୀ ବସ୍‌ର ଭଙ୍ଗା ସାଇଡ ଡୋର୍‌ ଗ୍ଲାସ ତୁରନ୍ତ ମରାମତି କରିବା ଏବଂ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଣାଇଛନ୍ତି।

ପ୍ରକାଶ ଯେ, ଉକ୍ତ ବସଟି ନିୟମିତ ଗଞ୍ଜାମ ଜିଲା ବ୍ରହ୍ମପୁରରୁ ଭୋର ସାଢ଼େ ୫ଟା ସମୟରେ ବାଲିଗୁଡ଼ା ଅଭିମୁଖେ ଚଳାଚଳ କରୁଛି ବସ୍‌ର ସାଇଡ ଡୋର୍‌ର ଗ୍ଲାସ ଗତ କିଛି ଦିନ ହେଲା ଭାଙ୍ଗି ରହିଛି। ଏହା ଯୋଗୁ ବସ୍‌ରେ ଯାତ୍ରା କରୁଥିବା ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଦାରିଙ୍ଗବାଡ଼ି ଅଞ୍ଚଳରେ ବର୍ତ୍ତମାନ ଲଗାଣ ବର୍ଷା ସହିତ ପ୍ରବଳ ଥଣ୍ଡା ପବନ ବହୁଥିବାରୁ ଭଙ୍ଗା ଗ୍ଲାସ ଦେଇ ବର୍ଷା ପାଣି ଓ ଥଣ୍ଡା ପବନ ବସ ଭିତରକୁ ପ୍ରବେଶ କରୁଛି। ଫଳରେ ଯାତ୍ରୀମାନେ ଓଦା ହେବା ସହିତ ପ୍ରବଳ ଥଣ୍ଡାରେ ବାଧ୍ୟ ହୋଇ ଯାତ୍ରା କରୁଛନ୍ତି। ଏଥିରେ ବୟସ୍କ ବ୍ୟକ୍ତି, ମହିଳା ଓ ଛୋଟ ପିଲାମାନେ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି ବୋଲି ସେ ଜଣାଇଛନ୍ତି।
ଏନେଇ ବସ୍‌ର କଣ୍ଡକ୍ଟରଙ୍କୁ ପଚାରିବାରୁ ସେ ନୂତନ ଭାବେ ଡ୍ୟୁଟିରେ ଯୋଗ ଦେଇଥିବାରୁ ଗ୍ଲାସ କେବେ ଭାଙ୍ଗିଛି ତାହା ଜାଣି ନ ଥିବା କହିଛନ୍ତି। ତେଣୁ ବସ୍‌ର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଯେଉଁ ଅଧିକାରୀ ବା ବିଭାଗ ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ଦ୍ୱାରା ଏହି ବିଷୟକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
ସାଧାରଣ ଲୋକମାନେ ସରକାରୀ ବସ୍‌କୁ ଭରସା କରି ଦୂରଦୂରାନ୍ତକୁ ଯାତାୟାତ କରୁଛନ୍ତି। ତେଣୁ ସରକାରୀ ବସ୍‌ଗୁଡ଼ିକ ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ଯାତ୍ରାଯୋଗ୍ୟ ଅବସ୍ଥାରେ ରହିବା ନିହାତି ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ ବସ୍‌ର ଭଙ୍ଗା ସାଇଡ ଡୋର୍‌ ଗ୍ଲାସକୁ ଶୀଘ୍ର ମରାମତି କରାଇବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରାନ୍ତୁ
ଏଥିସହିତ ଭବିଷ୍ୟତରେ ସରକାରୀ ବସ୍‌ର ରକ୍ଷଣାବେକ୍ଷଣରେ ଏଭଳି ଅବହେଳା ଯେପରି ନ ହୁଏ, ସେଥିପାଇଁ ମଧ୍ୟ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଚିଠିରେ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share