ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା ନାମ, ଏହାର କାରଣ ହେଉଛି ଯେ ଆଗ୍ରାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସରକାରଙ୍କ ସହିତ ଦ୍ୱିପାକ୍ଷିକକଥାବାର୍ତ୍ତା ପରେ ତୁରନ୍ତ ଭାରତର ପଛରେ ଛୁରା ଭୁଶିବା ଭଳି କାର୍ଯ୍ୟ କରିଥିଲେ।

କାର୍ଗିଲ ଯୁଦ୍ଧ ପଛର ମାଷ୍ଟର ମାଇଣ୍ଡ ପରଭେଜ ମୁଶରଫ ଥିଲେ। ଅବଶ୍ୟ, ଖୁବ କମ ଲୋକ ଜାଣିଥିବେ ଯେ ପରଭେଜ ମୁଶରଫଙ୍କ ଏହି ଦୁଃସାହସ ତାଙ୍କ ଜୀବନର ଶେଷ ବୋଲି ପ୍ରମାଣିତ ହୋଇଥାନ୍ତା। କାର୍ଗିଲ ଯୁଦ୍ଧ ସମୟରେ ସେ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ଭାରତୀୟ ଯୁଦ୍ଧ ବିମାନର ବୋମାମାଡ଼ର ଟାର୍ଗେଟ ହୋଇପାରିଥାନ୍ତେ। ଏଥିରେ ପରଭେଜ ଏବଂ ନଓ୍ବାଜଙ୍କ ମୃତ୍ୟୁ ଘଟିଥାନ୍ତା। ମାତ୍ର ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଲକ୍ଷ୍ୟ ଚ୍ୟୁତ ହେବାରୁ ଉଭୟେ ବଞ୍ଚି ଯାଇଥିଲେ।

ଏହା ଭାରତ ସରକାରଙ୍କ ଏକ ଡକ୍ୟୁମେଣ୍ଟରୁ ପ୍ରକାଶ ପାଇଥିଲା। ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ୨୪ ଜୁନ ୧୯୯୯ରେ, ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଏଲଓସି ଉପରେ ଉଡ଼ିଥିଲା। ଏହି ବିମାନଟି ଲେଜର ଗାଇଡ ସିଷ୍ଟମ ସହିତ ପାକିସ୍ତାନୀ ସେନା ବେସ ଉପରେ ବୋମା ବିସ୍ଫୋରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିମାନ ପଛରେ ଆସୁଥିବା ଦ୍ୱିତୀୟ ଜାଗୁଆର ବିମାନକୁ ବୋମା ଦିଆଯାଇଥିଲା। ବିମାନର ପାଇଲଟ ଲୋସି ନିକଟ ଗୁଲଟେରୀରେ ପାକିସ୍ତାନୀ ସେନା ସ୍ଥିତିକୁ ଟାର୍ଗେଟ କରିଥିଲେ କିନ୍ତୁ ଲେଜର ବାସ୍କେଟରୁ ବୋମା ଖସିଯିବାରୁ ବୋମା ଲକ୍ଷ୍ୟଭେଦ କରି ପାରି ନ ଥିଲା। ଏହା ପରେ ନିଶ୍ଚିତ କରାଯାଇଥିଲା ଯେ ଗୁଲଟେରୀରେ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶରଫ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଉପସ୍ଥିତ ଥିଲେ। ତେବେ ଯେତେବେଳେ ଜାଗୁଆର ଲକ୍ଷ୍ୟଭେଦ କରିଥିଲା, ସେତେବେଳେ ଗୁଲଟେରୀରେ ପରଭେଜ ମୁଶରଫ ଏବଂ ନୱାଜ ସରିଫ ଉପସ୍ଥିତ ଥିବା ଜଣା ପଡି ନ ଥିଲା।

ସୂଚନାଯୋଗ୍ୟ,ମେ ରୁ ଜୁଲାଇ ୧୯୯୯ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା। ପାକିସ୍ତାନୀ ସୈନ୍ୟମାନେ ଗୁପ୍ତରେ କାର୍ଗିଲର ଉଚ୍ଚ ପାହାଡ ଉପରେ ଅନୁପ୍ରବେଶକାରୀ ଭାବେ ଲୁଚି ରହିଥିଲେ। ପରେ ଯୁଦ୍ଧ ସମୟରେ ଏହା ଜଈାପଡ଼ିଥିଲା ଯେ ଅନୁପ୍ରବେଶକାରୀମାନେ ପାକିସ୍ତାନୀ ସେନା କର୍ମଚାରୀ ଥିଲେ। ଏହା ପରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ନିଜ ଦେଶରୁ ବାହାର କରିଦେବା ପାଇଁ ଅପରେଶନ ବିଜୟ ଆରମ୍ଭ କରିଥିଲା। ପ୍ରାୟ ଦୁଇମାସ ଧରି ଚାଲିଥିବା ଯୁଦ୍ଧ ପରେ ପାକିସ୍ତାନ ପରାଜିତ ହୋଇଥିଲା।

Share